**ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବସ୍-ବାଇକ ମୁହାଁମୁହିଁ ଧକ୍କା, ଯୁବକଙ୍କ ମୃତ୍ୟୁ*
ନୂଆପଡା( ମିଖାଏଲ ନନ୍ଦ)
ତା ୨୫/୦୫:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସହେଶ୍ୱର ପଞ୍ଚାୟତ ନିକଟ ଜାତୀୟ ରାଜପଥରେ ଆଜି ସକାଳେ ଏକ ଅଭାବନୀୟ ତଥା ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଯାତ୍ରୀବାହୀ ବସ୍ ଏବଂ ମୋଟର ସାଇକେଲ ମଧ୍ୟରେ ସାମ୍ନାସାମ୍ନି ଭୟଙ୍କର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ଜଣେ ବାଇକ ଆରୋହୀ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ମୃତ ଯୁବକ ଜଣକ ହେଲେ ସହେଶ୍ୱର ଗ୍ରାମର ଅରୁଣ ମାଝୀ।ଭୟଙ୍କର ଥିଲା ଧକ୍କା, ଘଟଣାସ୍ଥଳରେ ଗଲା ଜୀବନ
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ଅରୁଣ କୌଣସି ଏକ କାମରେ ନିଜ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ସହେଶ୍ୱର ନିକଟରେ ବିପରୀତ ଦିଗରୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ସହ ତାଙ୍କ ବାଇକର ସାମ୍ନାସାମ୍ନି ଜୋରଦାର ଧକ୍କା ହୋଇଥିଲା । ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅରୁଣ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ଏବଂ ମାତ୍ର କେଇ ମିନିଟ ମଧ୍ୟରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜାତୀୟ ରାଜପଥ ଅବରୋଧ, ଉତ୍ତେଜନାଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ପାଇଁ ଦାୟୀ ବସ୍ ଚାଳକ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ଗରିବ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ସ୍ଥାନୀୟ ଲୋକେ ଓ ମୃତକଙ୍କ ସମ୍ପର୍କୀୟମାନେ ମୃତଦେହକୁ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଏହାଫଳରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା ଓ ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା। ଅଞ୍ଚଳରେ ଶୋକାକୁଳ ପରିବେଶ ସହ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ବିଧାୟକ ଓ ପ୍ରଶାସନର ହସ୍ତକ୍ଷେପ, ରାସ୍ତା ସ୍ୱାଭାବିକ ଖବର ପାଇ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହିତ କଂଗ୍ରେସ ନେତା କମଲ ଚରଣ ତାଣ୍ଡି, ବ୍ଲକ ଅଧ୍ୟକ୍ଷ ଗୌତମ ତାଣ୍ଡି, ପୋଲିସ ଏସଡିପିଓ (SDPO) ଉପେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କ ସମେତ ବ୍ୟାପକ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ହୋଇ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ।ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ତତ୍କାଳ ଆର୍ଥିକ ସହାୟତା ରାଶି ସ୍ୱରୂପ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କା ଏବଂ ମହେଶ୍ୱର ସରପଞ୍ଚଙ୍କ ସ୍ୱାମୀ ନିଜ ବ୍ୟକ୍ତିଗତ ତରଫରୁ ୩,୦୦୦ ଟଙ୍କା ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଆଗାମୀ ଦିନରେ ଅନ୍ୟ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ମିଳିବା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ହଟାଇବାକୁ ସହମତି ପ୍ରକାଶ କରିଥିଲେ । ପୋଲିସ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ଅଟକ ରଖିବା ସହ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।
