ଦେଶ ସେବା କରିବା ସ୍ୱପ୍ନରେ ଲାଗିଲା ଗ୍ରହଣ, ପାଣିରେ ବୁଡ଼ି ଚାଲିଗଲା ସେନା ପ୍ରଶିକ୍ଷଣ ନେଉଥିବା ଛାତ୍ରଙ୍କ ପ୍ରାଣ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଅଧା ରହିଲା ସେନା ରେ ଭର୍ତ୍ତି ହୋଇ ଦେଶ ମାତୃକାର ସେବା କରିବା, ପାଣିରେ ବୁଡି ଛାତ୍ର ମୃତ। ସୋର ଥାନା କଲେଜ ଛକ ନିକଟରେ ଥିବା ଏକ ଘରୋଇ ସେନା ପ୍ରଶିକ୍ଷଣ ସେଣ୍ଟରର ଜଣେ ଛାତ୍ର ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲା ବାସୁଦେବପୁର ଅଂଚଳର ଭୋଳାନାଥ ଓଝା ସେନାରେ ଭର୍ତି ହେବା ପାଇଁ ସୋର କଲେଜ ଛକରେ ଥିବା ସୈନିକ ଏକାଡେମୀର ନାଁ ଲେଖାଇଥିଲେ। ସେଠାରେ ସେନା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଆଜି ମଧ୍ୟହ୍ନରେ ପହଁରିବା ଶିଖିବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ମାତ୍ର ସେଠାରେ ପାଣିରେ ବୁଡିଯାଇଥିଲେ। ଖବର ପାଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାଟି ପହଂଚି ଦୀର୍ଘ ଏକ ଘଣ୍ଟା ଖୋଜାଖୋଜି କରିବା ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋରରେ କୌଣସି କାଗଜପତ୍ର ନଥାଇ ଓ ବିନା ଟ୍ରେନରରେ ଏକାଧିକ ସେନା ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇ ପିଲା ମାନଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ବେଳେ କେଉଁ କାରଣରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
