*ଇଣ୍ଟରସିଟିର ସିଟି ଷ୍ଟେସନରେ ରହଣି ପାଇଁ ଡି.ଆର୍.ଏମଙ୍କୁ ପ୍ରୋଗ୍ରେସିଭ ସମ୍ବଲପୁରର ଦାବୀ।*
*ମଧ୍ୟରାତ୍ରିରେ ନୁହେଁ, ସମୟରେ ପହଞ୍ଚୁ ଇଣ୍ଟରସିଟି – ପ୍ରୋଗ୍ରେସିବ ସମ୍ବଲପୁର*
ସମ୍ବଲପୁର( ଭଂଜଦୂତ )୨୦/୦୫: ଆଜି ପ୍ରୋଗ୍ରେସିବ ସମ୍ବଲପୁରର ଏକ ପ୍ରତିନିଧି ଦଳ ଆବାହକ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ସମ୍ବଲପୁର ରେଳ ବିଭାଗର ଡିଭିଜନାଲ ରେଳୱେ ମ୍ୟାନେଜର (ଡିଆରଏମ)ଙ୍କୁ ଭେଟି ସମ୍ବଲପୁର ଓ ପାଖ ପାଖି ଅଞ୍ଚଳର ରେଳ ଯାତ୍ରୀମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ସାମାଜିକ କର୍ମୀ ଓ ଛାତ୍ରନେତା ସାମିଲ ଥିଲେ।
ପ୍ରତିନିଧି ମଣ୍ଡଳୀ ସମ୍ବଲପୁର–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (୧୮୩୦୩) ଓ ପୁରୀ–ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର (୧୮୩୦୪) ସମ୍ବଲପୁର ଲୋକଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ଦିଗରେ ଆଲୋକପାତ କରିଥିଲେ । ଏହି ଟ୍ରେନ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡ଼ିଥିବା ଏକ ପ୍ରମୁଖ ଯାତ୍ରୀବାହୀ ଟ୍ରେନ ହୋଇଥିବା ବେଳେ ହଜାର ହଜାର ସରକାରୀ ବେସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ଉଚ୍ଚ ଚିକିସ୍ୟା ଯାଉଥିବା ରୋଗୀ, ବ୍ୟବସାୟୀ ଓ ସାଧାରଣ ଲୋକ ଏହା ଉପରେ ନିର୍ଭର କରିଥାନ୍ତି । ପୁରୀ–ସମ୍ବଲପୁର ଇଣ୍ଟରସିଟି ଟ୍ରେନର ନିୟମିତ ବିଳମ୍ବ ଯୋଗୁଁ ଅନେକ ସମୟରେ ଟ୍ରେନ ରାତି ୧୨ଟା ପରେ ସମ୍ବଲପୁର ପହଞ୍ଚୁଥିବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳା, ବୟସ୍କ, ରୋଗୀ ଓ ଦୈନିକ ଯାତ୍ରୀମାନଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି l
ସେହିପରି ସମ୍ବଲପୁର ରେଳ ଷ୍ଟେସନର ୫ ଓ ୬ ନମ୍ବର ପ୍ଲାଟଫର୍ମରୁ ଇଣ୍ଟରସିଟି ଟ୍ରେନ ଚଳାଚଳ ଯୋଗୁଁ ସାଧାରଣ ଯାତ୍ରୀଙ୍କୁ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୟସ୍କ, ରୋଗୀଙ୍କ ପାଇଁ ଏହା ବିଶେଷ କଷ୍ଟଦାୟକ ହେଉଥିବା ପ୍ରତିନିଧି ମଣ୍ଡଳୀ ପକ୍ଷରୁ କୁହାଯାଇଥିଲା।
ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ସମ୍ବଲପୁର ସିଟି ଷ୍ଟେସନରେ ସମ୍ବଲପୁର–ପୁରୀ ଇଣ୍ଟରସିଟି ଟ୍ରେନର ରହଣି ପ୍ରଦାନ ପାଇଁ ଦୃଢ ଦାବି କରାଯାଇଥିଲା। ଫାଟକ ଷ୍ଟେସନ ବନ୍ଦ ହୋଇଯାଇଥିବାରୁ ସହରର ଅନ୍ୟ ଅଞ୍ଚଳର ବହୁ ସଂଖ୍ୟକ ଯାତ୍ରୀ ସିଟି ଷ୍ଟେସନରେ ରହଣି ଦାବି କରୁଛନ୍ତି l
ଏହା ସହ ସମ୍ବଲପୁର ସିଟି ଷ୍ଟେସନର ଭିତ୍ତିଭୂମି ବିକାଶ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବା, ଷ୍ଟେସନରେ ଆଧୁନିକ ସୁବିଧା, ଇଲେକ୍ଟ୍ରୋନିକ ଡିସପ୍ଲେ ବୋର୍ଡ, ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ଓ ଯାତ୍ରୀ ସୁବିଧା ବୃଦ୍ଧି କରିବାକୁ ଦାବି କରାଯାଇଥିଲା।
ଡିଆରଏମ ପ୍ରତିନିଧି ଦଳକୁ ଆଶ୍ୱାସନ ଦେଇ କହିଥିଲେ ଯେ, ଉଠାଯାଇଥିବା ଦାବିଗୁଡ଼ିକୁ ରେଳ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ସହ ବିଚାର କରାଯାଉଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା କରାଯିବ, ସମ୍ବଲପୁର ସିଟି ଷ୍ଟେସନର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ, ଏବଂ ସମ୍ବଲପୁର ସିଟି ଷ୍ଟେସନରେ ଇଣ୍ଟରସିଟି ଟ୍ରେନର ହଲ୍ଟ ପ୍ରଦାନ ପ୍ରସ୍ତାବ ଉପରେ ପଦକ୍ଷେପ ନେବା ପାଇଁ ସୂଚନା ଦେଇଥିଲେ।
ଆଜିର ଏହି ବୈଠକରେ ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ସଂଜିତ ମହାନ୍ତି, ରାଜ୍ୟ ହିନ୍ଦ ମଜଦୁର ସଭାର ଉପ ସାଧାରଣ ସମ୍ପାଦକ ଗୋକୁଳ ମେହେର, ସିଟୁର ଗଦାଧର କୁଅଁର, ଓ କେ କେ ଏସ ର ରାଜ୍ୟ ସମ୍ପାଦକ ମୋହମ୍ମଦ ମୁର୍ତ୍ତୁଜ଼ା, AITUC ଶ୍ରମିକ ନେତା ନର୍ଟୁ ଗୋପାଳ, ପ୍ରୋଗ୍ରେସିବ ସମ୍ବଲପୁର ସହ ଆବାହକ ସୁମିତ ପଟେଲ, ଦେବଜ୍ୟୋତି ପଟ୍ଟନାୟକ, ଚୁମନ ପ୍ରଧାନ, ଛାତ୍ର ନେତା ଶିବୁ ସେଠ, ଆର୍ଯ୍ୟନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
