ବେଗୁନିଆନାଳି ଗ୍ରାମରେ “ଜନ ଭାଗୀଦାରୀ – ସବସେ ଦୂର, ସବସେ ପହେଲେ” ଆଇଇସି ଅଭିଯାନର ଶୁଭାରମ୍ଭ
ଦେବଗଡ଼:
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବେଗୁନିଆନାଳି ଗ୍ରାମରେ ଆଜି “ଜନ ଭାଗୀଦାରୀ – ସବସେ ଦୂର, ସବସେ ପହେଲେ” ଆଇଇସି ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝିଙ୍କ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ବସୋବାସ କରୁଥିବା ଲୋକମାନଙ୍କ ପାଖକୁ ସରକାରୀ ଜନକଲ୍ୟାଣମୂଳକ ଯୋଜନାର ସୁବିଧା ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା, ହିତାଧିକାରୀଙ୍କ ଅଧିକାର ସୁନିଶ୍ଚିତ କରିବା ଓ ଜନସଚେତନତା ବୃଦ୍ଧି କରିବା। ଜିଲ୍ଲାପାଳ ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ ଜନସାଧାରଣଙ୍କ ସକ୍ରିୟ ଭାଗୀଦାରୀ, ତୃଣମୂଳ ସ୍ତରରେ ସରକାରୀ ସେବାର ପ୍ରସାର ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଅଭିଯାନ ଅବସରରେ ଆଦି ସେବା କେନ୍ଦ୍ରରେ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଗ୍ରାମବାସୀମାନଙ୍କ ଅଭିଯୋଗ ଗ୍ରହଣ କରାଯାଇ ସେଗୁଡିକର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା। ସେହିପରି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଆଧାର ନାମଲେଖା ଶିବିର ଏବଂ ବିଭିନ୍ନ ବିଭାଗ ପକ୍ଷରୁ ‘ବେନିଫିଟ ସାଚୁରେସନ’ ଶିବିର ଆୟୋଜନ କରାଯାଇ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସେବା ସମ୍ପର୍କରେ ସଚେତନ କରାଯାଇଥିଲା ଏବଂ ସୁବିଧା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଚିକିତ୍ସା ଅଧିକାରୀ, ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।
