ବୌଦ୍ଧ ଜିଲ୍ଲାରେ ଭୋଟର ଲିଷ୍ଟ ର ଆଗାମୀ ବିଶେଷ ସଂକ୍ଷିପ୍ତ ପୁନଃସମୀକ୍ଷା SIR କାର୍ଯ୍ୟକ୍ରମ ସମ୍ବନ୍ଧରେ ଜିଲ୍ଲାପାଳଙ୍କ ସୂଚନା ପ୍ରଦାନ l
ବୌଦ୍ଧ,
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ବୌଦ୍ଧ ଜିଲ୍ଲାରେ ଆଗାମୀ ବିଶେଷ ସଂକ୍ଷିପ୍ତ ପୁନଃସମୀକ୍ଷା (Special Intensive Revision–SIR) କାର୍ଯ୍ୟକ୍ରମ ସମ୍ବନ୍ଧରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ l ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ERO ଅନିରୁଦ୍ଧ ପ୍ରଧାନ , ବିଜେପି ପକ୍ଷରୁ ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମ ଭଞ୍ଜନ ମହାକୁଡ଼, ବିଜେଡି ପକ୍ଷରୁ ସୀତାଂଶୁ ଶେଖର ମହାକୁଡ଼ , ସନ୍ତୋଷ କୁମାର ନାୟକ, ଅନିକେତ ଦାନି ଓ କଂଗ୍ରେସ ତରଫରୁ ଅବଦୁଲ କଲିମ୍ ଖାନ୍ ଯୋଗ ଦେଇଥିଲେ l ଜିଲ୍ଲାପାଳ ଜଣାଇଥିଲେ ଯେ, ବୌଦ୍ଧ ଜିଲ୍ଲାରେ ୮୫-କଣ୍ଟାମାଳ ଏବଂ ୮୬-ବୌଦ୍ଧ ବିଧାନସଭା କ୍ଷେତ୍ରକୁ ନେଇ ସମୁଦାୟ ମୋଟ ଭୋଟର ସଂଖ୍ୟା ୩,୩୭,୩୩୮ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ୧,୭୧,୬୫୯, ମହିଳା ଭୋଟର ୧,୬୫,୬୬୭ ଏବଂ ତୃତୀୟ ଲିଙ୍ଗର ଭୋଟର ୧୨ ଜଣ ଅଛନ୍ତି ।
୮୫-କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ମୋଟ ୧,୭୦,୪୨୯ ଜଣ ଭୋଟର ଥିବାବେଳେ, ସେଥିରୁ ୮୬,୫୦୯ ପୁରୁଷ, ୮୩,୯୧୬ ମହିଳା ଏବଂ ୪ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି । ୮୬-ବୌଦ୍ଧ ବିଧାନସଭା କ୍ଷେତ୍ରରେ ମୋଟ ୧,୬୬,୯୦୯ ଜଣ ଭୋଟର ଥିବାବେଳେ, ସେଥିରୁ ୮୫,୧୫୦ ପୁରୁଷ, ୮୧,୭୫୧ ମହିଳା ଏବଂ ୮ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି ।
ଜିଲ୍ଲାରେ ମୋଟ ୪୬୬ଟି ପୋଲିଂ ଷ୍ଟେସନ ରହିଛି । ସେଥିମଧ୍ୟରୁ କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ୨୩୪ଟି ଏବଂ ବୌଦ୍ଧ ବିଧାନସଭା କ୍ଷେତ୍ରରେ ୨୩୨ଟି ପୋଲିଂ ଷ୍ଟେସନ ରହିଛି । ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ଅତିରିକ୍ତ ପୋଲିଂ ଷ୍ଟେସନ ମଧ୍ୟ ସ୍ଥାପନ କରାଯାଇଛି ।
ଭୋଟର ମ୍ୟାପିଂ ସମ୍ବନ୍ଧରେ ଜଣାଇ ଦିଆଯାଇଥିଲା ଯେ, ଜିଲ୍ଲାରେ ମୋଟ ୩,୨୯,୧୧୫ ଜଣ ଭୋଟରଙ୍କର ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ହାର ୯୭.୫୬ ପ୍ରତିଶତ ରହିଛି । ଅବଶିଷ୍ଟ ୮,୨୨୩ ଜଣ ଭୋଟରଙ୍କର ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ରାଜନୈତିକ ଦଳମାନଙ୍କ ଦ୍ୱାରା ନିଯୁକ୍ତ Booth Level Agent (BLA) ସମ୍ବନ୍ଧରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ୮୫-କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ବିଜେପି ପକ୍ଷରୁ ୧୮୮ ଜଣ BLA ନିଯୁକ୍ତ ହୋଇଥିବାବେଳେ, ବିଜେଡି ଓ କଂଗ୍ରେସ ପକ୍ଷରୁ କୌଣସି BLA ନିଯୁକ୍ତ ହୋଇନାହାନ୍ତି । ୮୬-ବୌଦ୍ଧ ବିଧାନସଭା କ୍ଷେତ୍ରରେ ବିଜେପି ପକ୍ଷରୁ ୧୯୬ ଜଣ ଏବଂ ବିଜେଡି ପକ୍ଷରୁ ୧୮୫ ଜଣ BLA ନିଯୁକ୍ତ ହୋଇଥିବାବେଳେ, କଂଗ୍ରେସ ପକ୍ଷରୁ କୌଣସି BLA ନିଯୁକ୍ତ ହୋଇନାହାନ୍ତି । ଜିଲ୍ଲପାଳ ସମସ୍ତ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ଅତିଶୀଘ୍ର ସମସ୍ତ ବୁଥ୍ ପାଇଁ BLA ନିଯୁକ୍ତ କରିବା ପାଇଁ କହିଥିଲେ l SIR କାର୍ଯ୍ୟସୂଚୀ ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଜଣାଇଥିଲେ ଯେ, ଓଡ଼ିଶା ରାଜ୍ୟ ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ଧାର୍ଯ୍ୟ କରାଯାଇଛି । ୨୦.୦୫.୨୦୨୬ ଠାରୁ ୨୯.୦୫.୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ ହେବ । ୨୮.୦୬. ୨୦୨୬ ପର୍ଯ୍ୟନ୍ତ BLO ମାନଙ୍କ ଦ୍ୱାରା ଘରକୁ ଘର ଯାଇ ସତ୍ୟାପନ କାର୍ଯ୍ୟ କରାଯିବ । ୦୫.୦୭. ୨୦୨୬ ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ । ୦୪.୦୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ।୦୨.୦୯.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ନିଷ୍ପତ୍ତି କାର୍ଯ୍ୟ ସମ୍ପନ୍ନ ହେବ ଏବଂ ୦୬.୦୯. ୨୦୨୬ ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ ।
ଡେପୁଟୀ କଲେକ୍ଟର ନିର୍ବାଚନ ମନସିତ ସ୍ୱରୂପ ପାୱାର ପଏଣ୍ଟ ମାଧ୍ୟମରେ SIR ପାଇଁ ଜିଲ୍ଲାର ପ୍ରସ୍ତୁତି ଓ ଏହାର ବିଭିନ୍ନ ବ୍ୟବହାରିକ ଦିଗ ସମ୍ବନ୍ଧରେ ଜଣାଇଥିଲେ l ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସହିତ
ଜିଲ୍ଲାର ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ପ୍ରତିନିଧି ଉପସ୍ଥିତ ଥିଲେ ।ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ରାଜନୈତିକ ଦଳ, ସାମ୍ବାଦିକ ଏବଂ ସାଧାରଣ ଜନତାଙ୍କୁ ଏହି ପୁନଃସମୀକ୍ଷା SIR କାର୍ଯ୍ୟକ୍ରମରେ ସହଯୋଗ କରି ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି l
