*ଅସହାୟ ମହିଳାଙ୍କ ପାଇଁ ମାନବିକତାର ହାତ ବଢ଼ାଇଲା ଚିକିଟି ସେବା ସଂସ୍ଥାନ*
ପାତ୍ରପୁର,(ଶ୍ରୀବତ୍ସ ସାହୁ) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ତଣ୍ଡିପୁର ପଂଚାୟତର ଡୁଙ୍ଗୁରୁଗୁଡା ଗ୍ରାମରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ପିତାମ୍ବର ନାଇକ ୧୫ ଦିନ ତଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆମକୁ ଛାଡ଼ି ଚାଲିଗଲେ। ତାଙ୍କ ଅକାଳ ବିୟୋଗରେ ପରିବାର ଭାଙ୍ଗି ପଡ଼ିଛି। ଘରେ ଏବେ କେବଳ ତାଙ୍କ ଧର୍ମପତ୍ନୀ ସୁବାସ ନାଇକ ଏକାକୀ ଅସହାୟ ଭାବେ ରହୁଛନ୍ତି।
ଦୁଃଖର ଏହି ସମୟରେ ସ୍ୱାମୀଙ୍କ ଦଶାକର୍ଯ୍ୟ କରିବା ପାଇଁ ସୁବାସ ଦେବୀ ଗ୍ରାମର ଲୋକଙ୍କ ପାଖରେ ହାତ ପାତିଥିଲେ। ତାଙ୍କ ଅବସ୍ଥା ଜାଣି ଚିକିଟି ସେବା ସଂସ୍ଥାନର ସ୍ୱେଚ୍ଛାସେବୀ ମାନେ ତୁରନ୍ତ ଡୁଙ୍ଗୁରୁଗୁଡା ଗ୍ରାମରେ ପହଞ୍ଚି ତାଙ୍କୁ ୮,୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସାମାନ୍ୟ ସହାୟତା ତାଙ୍କ ଦୁଃଖକୁ କମ୍ କରିନପାରେ, କିନ୍ତୁ ଏହା କହେ ଯେ ସେ ଏକା ନୁହଁନ୍ତି, ସମାଜ ତାଙ୍କ ସହ ଅଛି।
ଏହି ସେବା କାର୍ଯ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ସଂସ୍ଥାନର ଉପଦେଷ୍ଟା ଶ୍ରୀମତୀ ମନୋରମା ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ପାତ୍ର , ଏସ୍ ପ୍ରତିମା ଏବଂ ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଶ୍ରୀମତୀ ମନୋରମା ଦାସ କହିଥିଲେ, “ସେବା ହିଁ ସବୁଠାରୁ ବଡ଼ ପୂଜା। ଯେତେବେଳେ ଆମେ କାହାର କଷ୍ଟ ବୁଝି ତା ପାଖରେ ଠିଆ ହୁଏଁ, ସେତେବେଳେ ଈଶ୍ୱର ମଧ୍ୟ ଆମ ସହ ଠିଆ ହୁଅନ୍ତି।”
ଗତ ୩ ବର୍ଷ ଧରି ଚିକିଟି ସେବା ସଂସ୍ଥାନ ଅସହାୟ, ବୃଦ୍ଧ, ବିଧବା, ଅନାଥ ପିଲା ଏବଂ ଦୁଃସ୍ଥ ପରିବାର ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛି। ଖାଦ୍ୟ, ବସ୍ତ୍ର, ଶିକ୍ଷା ଓ ଚିକିତ୍ସା ଭଳି ମୌଳିକ ଆବଶ୍ୟକତାରେ ସାହାଯ୍ୟ କରି ଶହ ଶହ ଜୀବନରେ ଆଲୋକ ଜାଳିଛି। ଏହି ନିଃସ୍ୱାର୍ଥ ସେବା ଆଜି ସମାଜରେ ପ୍ରେରଣା ସାଜିଛି।
