ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼:
ଆଜି ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଶିବିରରେ ମୋଟ ୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୦୯ଟି ବ୍ୟକ୍ତିଗତ ଓ ୦୯ଟି ସାମୁହିକ ଅଭିଯୋଗ ଥିବା ଜଣାପଡ଼ିଛି। ଜମି ପଟ୍ଟା ସଂଶୋଧନ, କେନାଲ ନିର୍ମାଣ, ନଳକୂପ ଖନନ, ଝାଲିଆ-ମରା ରାସ୍ତା ନିର୍ମାଣ ଏବଂ କ୍ଲବ ଘର ନିର୍ମାଣ ଭଳି ବିଭିନ୍ନ ଜନସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଅଭିଯୋଗଗୁଡ଼ିକୁ ଗୁରୁତ୍ୱ ସହକାରେ ଶୁଣି ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ତତ୍କ୍ଷଣାତ୍ ପଦକ୍ଷେପ ନେବାକୁ କହିଥିଲେ।
ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର କର୍ଣ୍ଣ ମଲିକ୍ ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
