ଯୁବ ପିଢୀଙ୍କ ପାଇଁ ପହଁରିବା ଓ ବୁଡିଯିବା ପରେ ବଞ୍ଚିବାର ମୌଳିକ କୌଶଳ ତାଲିମ : ପ୍ରଥମ ପର୍ଯ୍ୟାୟ ଉଦଯାପିତ
ଦେବଗଡ଼:
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA), ଦେବଗଡ଼ଙ୍କ ମିଳିତ ଉଦ୍ୟମରେ ଯୁବ ପିଢୀଙ୍କ ପାଇଁ “ପହଁରିବା ଓ ବୁଡିଯିବା ପରେ ବଞ୍ଚିବାର ମୌଳିକ କୌଶଳ” ଉପରେ ଆୟୋଜିତ ତାଲିମ ଶିବିରର ପ୍ରଥମ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା ୦୪.୦୫.୨୦୨୬ ରୁ ୦୯.୦୫.୨୦୨୬ ପର୍ଯ୍ୟନ୍ତ ସ୍ଥାନୀୟ ଶନି ମନ୍ଦିର ନିକଟସ୍ଥ ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା। ଓଡ୍ରାଫ୍ (ODRAF) ଦଳର ସଦସ୍ୟମାନେ ପ୍ରଶିକ୍ଷ୍ୟାର୍ଥୀମାନଙ୍କୁ ପହଁରିବା, ଜଳଦୁର୍ଘଟନା ସମୟରେ ଆତ୍ମରକ୍ଷା ଓ ଅନ୍ୟମାନଙ୍କ ଜୀବନ ରକ୍ଷା ସମ୍ବନ୍ଧୀୟ ବିଭିନ୍ନ ମୌଳିକ କୌଶଳ ଉପରେ ପ୍ରାୟୋଗିକ ତାଲିମ ପ୍ରଦାନ କରିଥିଲେ।
ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବମାନଙ୍କୁ ବିପର୍ଯ୍ୟୟ ସମୟରେ ସଚେତନ ଓ ସକ୍ଷମ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସେହିପରି ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ ଓ ଓଡ୍ରାଫ୍ ଇନଚାର୍ଜ ମୋହନ କୁମାର ରାଉତ ପ୍ରମୁଖ ଯୋଗଦେଇ ବୁଡିଯିବା ପରେ ବଞ୍ଚିବାର କୌଶଳ ଏବଂ ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷାର ଗୁରୁତ୍ୱ ସମ୍ବନ୍ଧରେ ମତ ପ୍ରକାଶ କରିଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ବୁଢ଼ାପାଲ, ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପଳସମା, ରାଜାବାସୁଦେବ ଉଚ୍ଚ ବିଦ୍ୟାଳୟ, ଧରଣୀଧର ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମୋଟ ୩୦ ଜଣ ପ୍ରଶିକ୍ଷ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ସମସ୍ତ ପ୍ରଶିକ୍ଷ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
ସୂଚନାନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ତା ୧୧.୦୫.୨୦୨୬ ରୁ ୧୬.୦୫.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶିକ୍ଷ୍ୟାର୍ଥୀମାନଙ୍କ ପାଇଁ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ରହିଛି।
ଏହି ସନ୍ତରଣ ଶିବିରରେ ଅଂଶଗ୍ରହଣ ପାଇଁ ବୟସ ସୀମା ୧୪ ରୁ ୩୦ ବର୍ଷ ମଧ୍ୟରେ ରଖାଯାଇଛି। ପଞ୍ଜୀକରଣ ଓ ଅଧିକ ସୂଚନା ପାଇଁ ୮୬୫୮୯୯୭୬୭୩ ମୋବାଇଲ୍ ନମ୍ବରରେ ଯୋଗାଯୋଗ
