ରାୟଗଡ଼ର ଆବାସିକ ବିଦ୍ୟାଳୟରେ ଶିକ୍ଷାର ମାନୋନ୍ନତି ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
(ରାୟଗଡ଼ା:ରମେଶ ଅଗ୍ରୱାଲ:ନିପ୍ର.)
ରାୟଗଡ଼: ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ରାୟଗଡ଼ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନସ୍ଥ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନୋନ୍ନତି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଜିଲ୍ଲାର ୧୪୯ଟି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିଣ୍ଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣକୁ କେନ୍ଦ୍ର କରି ଏକ ରଣନୀତିମୂଳକ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ।
ବୈଠକରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଆଶାନୁରୂପ ଭାବେ ବୃଦ୍ଧି ନ ହେବାର କାରଣ ଓ ସେଥିପାଇଁ ଆବଶ୍ୟକ ସମାଧାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶିକ୍ଷକମାନେ ମତ ପ୍ରକାଶ କରିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଅନୁପାତରେ ପର୍ଯ୍ୟାପ୍ତ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯେହେତୁ ଶିକ୍ଷକଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟ, ଛାତ୍ରାବାସ ପରିଚାଳନା ଓ ସ୍ୱାସ୍ଥ୍ୟ ସମୀକ୍ଷା ଦାୟିତ୍ୱରେ ନିଯୁକ୍ତ କରାଯାଉଥିବାରୁ ଶିକ୍ଷାଦାନ ପ୍ରଭାବିତ ହେଉଛି। ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ କରାଗଲେ ଶିକ୍ଷାର ମାନ ଅଧିକ ସୁଦୃଢ ହେବ ବୋଲି ସେମାନେ ମତ ଦେଇଥିଲେ।
ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଅତିଥି ଶିକ୍ଷକ ନିଯୁକ୍ତ ନେଇ ଆଲୋଚନା ହୋଇଥିଲା। ଏହା ସହ ସେବାଶ୍ରମଗୁଡ଼ିକ ପାଇଁ ସେବକ ଓ ସେବିକା ନିଯୁକ୍ତି କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଏହା ସହିତ ବାଳକ ଛାତ୍ରାବାସ ନିମନ୍ତେ ପୁରୁଷ ଓ୍ବାଡେନ ସହିତ ମହିଳା ସ୍ବାସ୍ଥ୍ୟ କର୍ମୀ ପଦ ସୃଷ୍ଟିକରି ନିଯୁକ୍ତି ଦେବାପାଇଁ ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର କରାଗଲା ।
ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) କୁ ପ୍ରାଥମିକତା ଦେଇ ଚଳିତ ଶିକ୍ଷାବର୍ଷରୁ ପ୍ରତ୍ୟେକ ବିଦ୍ୟାଳୟରେ ଅନ୍ତତଃ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ‘ଏ-୧’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି। ଏହି ଲକ୍ଷ୍ୟକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରାଯିବ। ଶିକ୍ଷାଦାନକୁ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ସହ ‘ଯାଦୁପେଡି’ ଯୋଗାଇ ଦିଆଯିବ।
ଏହା ସହ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆବାସଗୃହ ଭିତ୍ତିଭୂମିର ବିକାଶ କରାଯିବା ସହ ବାଳ ପାଠ୍ୟକ୍ରମ ଅନ୍ତର୍ଗତ କୁନି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ୟାନ ଭିତ୍ତିକ ଖେଳ ସାମଗ୍ରୀ ଯୋଗାଇ ଛୋଟ ଶିଶୁ ଉଦ୍ୟାନ ସୃଷ୍ଟି କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି।
ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ଭାବେ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମେଲେରିଆ ନିରାକରଣ ପାଇଁ ଜୁଲାଇ ମାସରେ ନିମପତ୍ରରୁ ତେଲ ପ୍ରସ୍ତୁତ କରି ବାଧ୍ୟତାମୂଳକ ବ୍ୟବହାର କରିବା ସହିତ ଔଷଧ ଯୁକ୍ତ ମଶାରୀ ବ୍ୟବହାର ନେଇ ମଧ୍ୟ ନିର୍ଦ୍ଦେଶ ହୋଇଥିଲା। ଏଥିସହ ସରକାର ନିର୍ଦ୍ଦିଷ୍ଟ ମେନୁ ଚାର୍ଟକୁ ଶତପ୍ରତିଶତ ପାଳନ କରି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହାଦ୍ୱାରା ସେମାନେ ସୁସ୍ଥ ରହି ପାଠପଢ଼ାରେ ଅଧିକ ଧ୍ୟାନ ଦେଇପାରିବେ।
ବୈଠକରେ ଶିକ୍ଷକମାନଙ୍କ ଗତ ତିନି ବର୍ଷ ଧରି ପଦୋନ୍ନତି ନ ହୋଇଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଚଳିତ ଛୁଟି ଅବଧି ମଧ୍ୟରେ ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ କରାଯିବ।
ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସହ ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
