‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କଲେ ପୋଲିସ ଡିଜି
ବେଲଗୁଣ୍ଠା:୮/୫-(ଶିବରାମ ଚୌଧୁରୀ )-ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା’ ପକ୍ଷରୁ ବେଲଗୁଣ୍ଠା ଥାନା ପରିସରରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ଥାନାକୁ ଆସି ସେମାନଙ୍କୁ କିପରି ଅନୁଭବ ହେଉଛି, ପୋଲିସ କର୍ମଚାରୀଙ୍କ ବ୍ୟବହାର କିଭଳି ରହିଛି ଏବଂ ଆଜିର କାର୍ଯ୍ୟକ୍ରମରୁ ସେମାନେ କ’ଣ ଶିକ୍ଷା କଲେ, ସେ ସମ୍ପର୍କରେ ଡିଜି ପଚାରି ବୁଝିଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। କିଶୋର କିଶୋରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯକ୍ରମରେ ବିଶେଷ କରି ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ନ କରିବା, ନିଜର ଫଟୋ ଓ ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ରୋକିବା, ଫେକ୍ ଆଇଡି ଜରିଆରେ ହେଉଥିବା ଠକେଇ, ଅଜାଣତରେ ଓଟିପି ଶେୟାର ନ କରିବା ଏବଂ ଅନଲାଇନ୍ ଠକେଇର ଶିକାର ହେଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ କିଶୋର କିଶୋରୀ ଓ ଅଙ୍ଗନବାଡି ସୁପର ଭାଇଜରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ଥାନାଧିକାରୀ ଶ୍ରୀମତୀ ଶବର ଫେସବୁକ,ଇନଷ୍ଟାଗ୍ରାମ୍ ରେ ନିଜର ଆଇଡି ପ୍ରାଇଭେଟ୍ ରଖିବା, ନିଜର ଚିହ୍ନା ଲୋକଙ୍କ ସହିତ ବନ୍ଧୁତା କରିବା,ବିନା ଭେରିଫାଇରେ ବନ୍ଧୁତା ନ କରିବା,ଅଜାଣତରେ କୌଣସି ଆପ୍ଲିକେସନ୍ ଡାଉନଲୋଡ୍ ନ କରିବା, ବ୍ୟକ୍ତଗତ ଡାଟା ନ ଦେବା ସହିତ ସାଇବର ଅପରାଧ ଉପରେ ସଚେତନତା କରାଇଥିଲେ ।ତତ୍ସହିତ ଥାନାଧିକାରୀ ଛାତ୍ରୀ ମାନଙ୍କୁ ଥାନା କାର୍ଯ୍ୟାଳୟ,ଥାନା ପରିସର ବୁଲାଇ ଥାନାର କାର୍ଯ୍ୟ ବିଷୟରେ ବୁଝାଇଥିଲେ ।ଏହି ଅବସରରେ ଅଙ୍ଗନବାଡି ସୁପରଭାଇଜର ବିଜୟଲକ୍ଷ୍ମୀ ଗୌଡ଼,ଏସ୍ଆଇ ବିଶ୍ୱରଞ୍ଜନ ନାୟକ,ଏଏସ୍ଆଇ ଅନୁ ମଲିକ,ଜ୍ୟୋସ୍ନାରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହିତ ପ୍ରେସ୍ କ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଗଣମାଧ୍ୟମ ପ୍ରତିନିଧି ମନୋଜ କୁମାର ପାତ୍ର ଓ ଶିବରାମ ଚୌଧୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ। ପୋଲିସର ଏହି ନିଆରା ପ୍ରୟାସକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।ଶେଷରେ ଥାନା ଅଧିକାରୀ ରେବତୀ ଶବର ଉପସ୍ଥିତ ଅଙ୍ଗନବାଡି କର୍ମୀ,ସୁପରଭାଇଜର, ଥାନା କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
