ବୌଦ୍ଧରେ ଘରୋଇ ହିଂସା ନିରାକରଣ ପାଇଁ ନେସନାଲ ଲ ୟୁନିଭରସିଟି ର ପରାମର୍ଶ ବୈଠକ ଅନୁଷ୍ଠିତ
, ବୌଦ୍ଧ… ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲା ତାଲିମ୍ କେନ୍ଦ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ,ବୌଦ୍ଧ ଠାରେ ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲ୍ଲାକୁ ନେଇ ଏକ ସମୁଦାୟ ସ୍ତରୀୟ ହିତାଧିକାରୀ ଅଂଶୀଦାର ମାନଙ୍କ ସହିତ ପରାମର୍ଶ କେନ୍ଦ୍ରିତ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କାର୍ଯ୍ୟକ୍ରମ ପରିଚାଳକ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ବୈଠକରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ଜିଲ୍ଲା ପୋଲିସ ଡିଏସ୍ ପି ଶ୍ରୀମତୀ ସ୍ମିତା ସୁବାସିନୀ ଟେଟେ, ସରକାରୀ ମେଡିକାଲ ଅଫିସର୍ ଡଃ ନାରାୟଣ ପଶାୟତ, ଡଃ ଅମିତାଭ ଦାସ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ ପ୍ରବନ୍ଧକ ମୃତ୍ୟୁଞ୍ଜୟ ଭୁଜବଳ ଅତିଥି ରୂପେ ଯୋଗଦାନ କରିଥିଲେ l ଘରୋଇ ହିଂସା ଏବଂ ଶୋଷଣ ବିରୁଦ୍ଧରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଏବଂ ଘରୋଇ ହିଂସାକୁ ସମାଧାନ କରିବାରେ ବିଦ୍ୟମାନ ବ୍ୟବସ୍ଥା ଓ ବିଭିନ୍ନ ଅନୁଷ୍ଠାନ କିପରି ସାହାଯ୍ୟ କରୁଛି ସେ ବିଷୟରେ ଅତିଥିମାନେ ଅବଗତ କରାଇଥିଲେ। ଆତ୍ମ ନିର୍ଭର ଓ ସଚେତନ ହେଲେ ନାରୀ ସୁରକ୍ଷିତ ହେବେ, ନାରୀମାନେ ଯଦି ଶିକ୍ଷିତ, ସ୍ୱାବଲମ୍ବୀ ହୁଅନ୍ତି ତେବେ ସେମାନଙ୍କ ଉପରେ ହିଂସାର ଘଟଣା ହ୍ରାସ ପାଇବ ବୋଲି ମତାମତ ରଖିଥିଲେ
