ଦୀର୍ଘ ଦିନ ଧରି ଅଚଳ ଅବସ୍ଥାରେ ପଡିଛି ନଳକୁପ, ପାନୀୟ ଜଳ ପାଇଁ ହଟହଟା।
ରଘୁନାଥପୁ(ନି.ପ୍ର): ରଘୁନାଥପୁର ବ୍ଲକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଥିବା ନଳକୁପଟି ଦୀର୍ଘ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିଥିଲେ ବି ମରାମତି ଅଭାବରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏଥିପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହର ଋତୁ ଚାଲିଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅସହ୍ୟ ଗୁଳୁଗୁଳିରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ପିଇବା ପାଣି ଟୋପେ ପାଇଁ ଲୋକମାନେ ଦୋକାନ ମାନଙ୍କରୁ ପାଣି କିଣି ନିଜର ଶୋଷ ମେଣ୍ଟାଉଛନ୍ତି। ପ୍ରତିଦିନ ରାତି ପାହିଲେ ଶହ ଶହ ଲୋକ ନିଜର କାମ ନେଇ ରଘୁନାଥପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଆସିଥାନ୍ତି। ବ୍ୟାଙ୍କକୁ ଆସୁଥିବା ବହୁ ଲୋକ ଟଙ୍କା ଅଭାବରୁ ପାଣି କିଣି ନପାରି ଶୋଷରେ ଆଉଟି ପାଉଟି ହେଉଥିବା ବେଳେ ସ୍ଥାନୀୟ ଗ୍ରାମ୍ୟ ପାନୀୟ ଜଳ ବିଭାଗ କର୍ମଚାରୀ ଏହାକୁ ଦେଖି ବେଶ୍ ଖୁସି ଅନୁଭବ କରୁଥିବାର ମନେହେଉଛି। ଏହି ନଳକୁଅଟି ଅଚଳ ଅବସ୍ଥାରେ ଥିବା ବେଳେ ବଜାର କମିଟି ପାନୀୟ ଜଳ କାର୍ଯ୍ୟାଳୟରେ ଅଭିଯୋଗ ଦେବା ପରେ ବି କାର୍ଯ୍ୟାଳୟ ଏହାକୁ ସଜାଡ଼ିବା ବାହାନାରେ ନଳକୁଅର ପାଇପ୍ ସହ ହ୍ୟାଣ୍ଡେଲକୁ ଖୋଲି ନେଇଥିଲେ। କିନ୍ତୁ ଦୀର୍ଘଦିନ ହେବ ବିଭାଗ ଏହାକୁ ନସଜାଡି ଅସଜଡ଼ା ଅବସ୍ଥାରେ ଛାଡ଼ି ଦେବା ପଛରେ କି ଲକ୍ଷ୍ୟ ରହିଛି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆସନ୍ତା ୨ ଦିନ ମଧ୍ୟରେ ଏହି ନଳକୁଅଟି ସଜଡା ନଗଲେ ଆସନ୍ତା ସୋମବାର ହେବାକୁ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବଜାର କମିଟି ପକ୍ଷରୁ ଅଭିଯୋଗ ହେବା ସହ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ ବୋଲି ଜଣାପଡିଛି।
