ଅଫେରା ରାଇଜରୁ ଫେରି ଆସନ୍ତେ କି ବିଜୁ ବାବୁ !
ସବୁ ବିବାଦ ଠପ୍ ହୋଇଯାଆନ୍ତା। କିଏ କୁଆଡ଼େ ଦଉଡ଼ି କି ଯାଆନ୍ତେ ଯେ, ଜଙ୍ଗଲ ଗୁମ୍ଫା ରେ ଖୋଜିଲେ ବି ମିଳନ୍ତେନି। ସ୍ୱର୍ଗରେ ରହି ଯେତିକି ଖୁସି ଅଛନ୍ତି, ଏମାନଙ୍କ ଟଣାଓଟରା କୁ ନେଇ ସେତିକି ମନ ଦୁଃଖ ବି କରୁଛନ୍ତି,ଫେରି ଆସିଲେ ଆହୁରି ଭାରି ମନ ଦୁଃଖ କରନ୍ତେ, କାହିଁକି ନା ତାଙ୍କ ନାଁ କୁ ନେଇ ଏମାନେ ଯେତିକି ଟଣାଓଟରା ଚଳାଇଛନ୍ତି, ଦୀର୍ଘ ସମୟ ଭିତରେ ବି ତାଙ୍କୁ ଭାରତ ରତ୍ନ ଟିଏ ଦେବା ପାଇଁ ସେତିକି କାହାର ଗୋଟିଏ ଦମ ନାହିଁ। ଖାଲି ମିଛ ପ୍ରହସନ ଭିତରେ କହି ବୁଲୁଛନ୍ତି ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ଆମେ ସବୁ ସାକାର କରିଦେବୁ। ବିଜୁ ବାବୁଙ୍କର ସ୍ୱପ୍ନ ଥିଲାକି ତାଙ୍କ ନାଁ କୁ ଭାଗ ଭାଗ ହୋଇ ନିଜ ନିଜ ଭିତରେ ଲଢ଼େଇ କରିବା, ବିଜୁ ବାବୁଙ୍କର ସ୍ୱପ୍ନ ଥିଲା କି ଖାଲି ଶିଳ୍ପ ନାଁ ରେ ଏମୟୁ ଦସ୍ତଖତ କରିବା, ବିଜୁ ବାବୁଙ୍କର ସ୍ୱପ୍ନ ଥିଲା କି ନିଜ ଅଞ୍ଚଳରେ ଯାହାବି କିଛି କଳକାରଖାନା ହେଉଛି, ସେଥିରେ ବାହାର ରାଜ୍ୟରୁ ଲୋକ ଆଣି ଭର୍ତ୍ତି କରିବା। ଗାଁ କୁ ରାସ୍ତା ମାଆ କୁ ସମ୍ମାନ ଗଲା କୁଆଡ଼େ। ଏବେବି ସହର ପାଖ ଅଞ୍ଚଳ ଗାଁ ଗୁଡିକରେ ରାସ୍ତା ଅବସ୍ଥା କହିଲେ ନସରେ, ବାକି ମାଆକୁ ସମ୍ମାନ ବି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି, ଯାହା କି ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।ବିଜୁ ବାବୁ,ଯିଏ ଥରେ ଦିଲ୍ଲୀ ପହଞ୍ଚିଲେ, ବଡ଼ ବଡ଼ ନେତା ମାନେ ବି ଭୟଭୀତ ହୋଇ ପଡ଼ୁଥିଲେ, ରୋକଠୋକ ଜବାବ ଦିଅନ୍ତି ବିଜୁ ବାବୁ। ଓଡ଼ିଆ ଲୋକଙ୍କର ସ୍ୱାଭିମାନ ଉପରେ ଆଞ୍ଚ ଆସିବା ପୂର୍ବରୁ ପୁରା ମୁହଁ ତୋଡ ଜବାବ ଦିଅନ୍ତି। ସିଏ ଦେଶ ପାଇଁ ଲଢ଼େଇ କରୁଥିଲେ, କୋଟି କୋଟି ଓଡ଼ିଆଙ୍କ ପାଇଁ ଲଢ଼େଇ କରୁଥିଲେ ଆଉ ଏବେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କହି ବୁଲୁଥିବା ମାନେ ନିଜ ନିଜ ଭିତରେ ବେଶ ଲଢ଼େଇ କରୁଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ,ଯାହାକି ଖୁବ ଦୁର୍ଭାଗ୍ୟଜନକ ! ବିଜୁ ବାବୁ ନିଜ ରାଜନୈତିକ ଜୀବନରେ ବହୁତ କିଛି ହରାଇଛନ୍ତି ସତ,କିନ୍ତୁ ନିଜର ସ୍ୱାଭିମାନ ଆଉ କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନ ହିଁ ତାଙ୍କର ସମ୍ପତ୍ତି ଥିଲା ଯାହା ତାଙ୍କ ଆଦର୍ଶର ଗୋଟିଏ ଅନ୍ୟତମ ପରିପ୍ରକାଶ ଏକଥାକୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କେବେବି ଭୁଲିବା କଥା ନୁହେଁ କହିଲେ ଅତ୍ୟୁକ୍ତି ହେବନାହିଁ।।।
