ଓଡ଼ିଆ ପକ୍ଷର ସପ୍ତମ ଦିନରେ ବର୍ଣ୍ଣବୋଧ ବହି ବଣ୍ଟନ ଉତ୍ସବ: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ
ଦେବଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାରକୁ ଆଗେଇ ନେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ “ଓଡ଼ିଆ ପକ୍ଷ”ର ସପ୍ତମ ଦିନରେ ବର୍ଣ୍ଣବୋଧ ବହି ବଣ୍ଟନ ଉତ୍ସବ ଅତ୍ୟନ୍ତ ଭବ୍ୟ ଓ ଉତ୍ସାହଭରା ପରିବେଶରେ ଆୟୋଜିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ସମନ୍ୱୟରେ ପୌରପରିଷଦ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲା।
ଆଜି ସକାଳ ୮ଟା ୩୦ ମିନିଟରୁ ଦେବଗଡ଼ର ବିଭିନ୍ନ ବିଦ୍ୟାଳୟରେ ବହି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବାଳକ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ତାଙ୍କ ସହ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଡେପୁଟି କଲେକ୍ଟର ପ୍ରିୟା ତିର୍କି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ସେହିପରି, ମନ୍ଦାକିନୀ ବାଳିକା ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ସିଆରସିସି ଚୂଡ଼ାମଣି ସାହୁ ଓ ପ୍ରଧାନ ଶିକ୍ଷୟତ୍ରୀ ସବିତା ନନ୍ଦ ବରୋଣ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହାସହ ଧରଣୀଧର ପ୍ରାଥମିକ ବିଦ୍ୟାଳୟରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହି ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ ଓ ପ୍ରଧାନ ଶିକ୍ଷକ ସୁଶାନ୍ତ ନନ୍ଦ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରିବା ସହ ଓଡ଼ିଆ ଭାଷାର ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ। ସେମାନେ ଏହାର ସୁରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ଓ ସକ୍ରିୟ ଭାବେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ସମଗ୍ର ପରିବେଶ ଉତ୍ସବମୟ ଓ ଆନନ୍ଦମୟ ହୋଇଯାଇଥିବା ବେଳେ, ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସିର ଚମକ ସ୍ପଷ୍ଟ ଦେଖାଯାଉଥିଲା।
