ସାଇନ୍ସ ଇନଷ୍ଟିଚ୍ୟୁଟରେ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ
ମୋବାଇଲ ଅପେକ୍ଷା ପୁସ୍ତକ ପଠନର ଯଥେଷ୍ଟ ଆବଶ୍ୟକତା
ବରଗଡ଼ :୦୬.୦୪.(ଯୋଗେନ୍ଦ୍ର ସାହୁ) ଆଜିକାଲିର ମୋବାଇଲ ମନସ୍କ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୁସ୍ତକ ପଠନର ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ମୋବାଇଲ ରେ ଅଧିକ ସମୟ ନଷ୍ଟ ନକରି ପାଠ୍ୟ ପୁସ୍ତକ ସହିତ ଅନ୍ୟ ଭଲ ଭଲ ପୁସ୍ତକ ସଂଗ୍ରହ କରି ପାଠ କରିବା ଉଚିତ ବୋଲି ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧ୍ୟାପକ ଡକ୍ଟର ପ୍ରଦୀପ ହୋତା ସାମ୍ପ୍ରତିକ ସମୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୁସ୍ତକ ପଠନର ଉପାଦେୟତା ଓ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖି ଜୀବନକୁ ମୂଲ୍ୟଯୁକ୍ତ କରିବାକୁ ହେଲେ ଅଧିକରୁ ଅଧିକ ଭଲ ପୁସ୍ତକ ପଠନ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ରୀମାମୟୀ
ସାହୁଙ୍କ ସଂଯୋଜନା ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ପୁସ୍ତକ ମାନଙ୍କ ମଧ୍ୟରୁ ନିଜ ନିଜ ମନ ପସନ୍ଦ ମୁତାବକ ପୁସ୍ତକ ଚୟନ କରି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସେମାନଙ୍କ ମଧ୍ୟରୁ ରିୟା ଭୋଇ, ଡିଲେଶ୍ବରୀ ଭୋସାଗର, ଚିନ୍ମୟ ଦାଶ ଓ ନୀତୁଶ୍ରୀ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ‘ଶିଶୁଶ୍ରୀ’ ର ଆବାହକ ଡକ୍ଟର ରବିନାରାୟଣ ସାହୁ ପାଠାଗାର ଓ ପୁସ୍ତକ ପଠନର ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇ ଥିଲେ ଓ ଛାତ୍ର କପିଲ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
