*ଶାନ୍ତିଲତା ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର*
ବସ୍ତା:- ୦୪/୦୪ ନି. ପ୍ର (ସେଖ ଆଜାରୁଦ୍ଦିନ)
ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ କୁମାର ଦତ୍ତଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ସରକାରୀ ପ୍ରଫେସର ଡ଼. ସଚ୍ଚିତାନନ୍ଦ ସ ଏବଂ ବିଶ୍ୱବିଦ୍ୟାଳୟର ରାଜନୀତି ବିଭାଗର ସରକାରୀ ପ୍ରଫେସର ଡ଼. ରାଜଶ୍ରୀ ଦତ୍ତ “ମହିଳା, ସଶକ୍ତିକରଣ ଅର୍ଥନୈତିକ ଅଭି ବୃଦ୍ଧି ଏବଂ ସ୍ଥିରତା, ଭାରତର ପରିବର୍ତ୍ତନଶୀଳ କାର୍ଯ୍ୟସୂଚୀ ” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ମହିଳା ସଶକ୍ତିକରଣ କିପରି ଶ୍ରମ ଶକ୍ତିରେ ଅଂଶଗ୍ରହଣକୁ ବୃଦ୍ଧି କରେ। ଉତ୍ପାଦକତା ବଢାଏ ଏବଂ ଅନ୍ତର୍ଭୁକ୍ତିମୂଳକ ଅର୍ଥନୈତିକ ଅଭିବୃଦ୍ଧି ତଥା ସ୍ଥାୟୀ ବିକାଶରେ ସହାୟକ ହୋଇଥାଏ ତାହା ଡ଼. ସଚ୍ଚିତାନନ୍ଦ ସ ଆଲୋଚନା କରିଥିଲେ। ମହିଳା ସଶକ୍ତିକରଣ ସମାନ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରି, ଲିଙ୍ଗଗତ ନ୍ୟାୟ ନିଶ୍ଚିତ କରି ଏବଂ ଅଧିକ ଅନ୍ତର୍ଭୁକ୍ତି ମୂଳକ ତଥା ସହଭାଗୀ ନୀତି ପ୍ରଣୟନରେ ସକ୍ଷମ କରି ଗଣତାନ୍ତ୍ରିକ ଶାସନକୁ କିପରି ସୁଦୃଢ କରିଥାଏ, ତାହା ଡ଼. ରାଜଶ୍ରୀ ଦତ୍ତ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟା ପ୍ରିୟଙ୍କା ନାୟକ ସଭା ପରିଚାଳନା ସହ ଆଲୋଚ୍ୟ ବିଷୟବସ୍ତୁର ଗୁରୁତ୍ୱକୁ ଆଲୋଚନା କରିଥିଲେ।
ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅର୍ଥନୀତି ବିଭାଗର ଅଧ୍ୟାପିକା ସଙ୍ଗୀତା ବେହେରା ଏବଂ ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। +୩ ଶେଷ ବର୍ଷର ଛାତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
