*ନୂଆପଡ଼ାରେ ମାରାଗୁଡା ଲୋକମହୋତ୍ସବ–୨୦୨୬ର ଦ୍ୱିତୀୟ ସନ୍ଧ୍ୟା: ସାଂସ୍କୃତିକ ସଭା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନ*
ନୂଆପଡ଼ା(ମିଖାଏଲ ନନ୍ଦ)
, ତା. ୦୨/୦୪:
ନୂଆପଡ଼ା ଜିଲ୍ଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପର୍ବ “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ଦ୍ୱିତୀୟ ସନ୍ଧ୍ୟା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ସକାଳ ୧୦.୦୦ ଟାରେ ନେସନାଲ ମହାବିଦ୍ୟାଳୟ, ନୂଆପଡ଼ାରେ ଆୟୋଜିତ ଆଲୋଚନା ଚକ୍ରରେ ବିଭିନ୍ନ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତ, ସମ୍ବଲପୁର ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ ବଗର୍ତ୍ତୀ, ଜିଲ୍ଲାପାଳ, କଳାହାଣ୍ଡି ସଚିନ ପୱାର, ଜିଲ୍ଲାପାଳ, ବରଗଡ଼ ଆଦିତ୍ୟ ଗୋୟଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଧନେଶ୍ୱର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ନୂଆପଡ଼ା, ଏନ.ଏ.ସି.ର ଅଧ୍ୟକ୍ଷ ମ. ଆଦମ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ ଓ ଶ୍ରୀମତୀ ଯାଜ୍ଞସେନୀ କଟା, ସମାଜ ସୁଧାର କର୍ମୀ ଅବନୀ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିଲେ।
ମୁଖ୍ୟ ବକ୍ତା ଭାବେ ଲବ୍ଧ ପ୍ରତିଷ୍ଠ ଲେଖିକା ପ୍ରଫେସର ବାସନ୍ତୀ ମହାନ୍ତି ଯୋଗଦେଇ ସମାଜ ଓ ସଂସ୍କୃତିର ସମ୍ପର୍କରେ ଗଭୀର ମତ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସଭାପତିତ୍ୱ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ସମାଜ ସୁଧାରକର୍ମୀ ଅବନୀ ମୋହନ ପାଣିଗ୍ରାହୀ, ବିଶିଷ୍ଟ କଳାକାର ଶିବ ପ୍ରସାଦ ଅଗସ୍ତି ଓ ଉପେନ୍ଦ୍ର ସଲମା, ବିଶିଷ୍ଟ କ୍ରୀଡାବିତ ମହେଶ ରଞ୍ଜନ ରାଉତ, ବିଶିଷ୍ଟ ସମାଜସେବୀ ଫାରୁକ ମହମ୍ମଦ, ଟେରାକୋଟା ଓ ମାଟି ପାତ୍ର ଶିଳ୍ପୀ ଯୁଗେଶ୍ୱର ରଣା, ସମାଜସେବୀ ଶ୍ରୀମତୀ ଚେତନା ସାହୁ, ନାରୀ ସଶକ୍ତିକରଣ କର୍ମୀ ଶ୍ରୀମତୀ ଭାଗବତୀ ପଟେଲ ଏବଂ ବିଦ୍ୟାର୍ଥୀ ଜୀବନରେ ରାଜ୍ୟସ୍ତରୀୟ ମହିଳା କ୍ରୀଡାବିତ ଶ୍ରୀମତୀ ନର୍ମଦା ମାଝୀ।ସାଂସ୍କୃତିକ ସଭାରେ ଅଭ୍ୟୁଦୟ ବିଦ୍ୟା ନିକେତନ, ନୂଆପଡ଼ା, ମା ଠାକୁରାଣୀ ଘୁମୁରା ଦଳ (ଭାଲୁଡ଼ୁଙ୍ଗୁରୀ), ଜବାହାର ନବୋଦୟ ବିଦ୍ୟାଳୟ, ତରବୋଡ, ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ, ଗଣ୍ଡାବାହାଲି, ପିଏମ ଶ୍ରୀ ସରକାରୀ ସେବାଶ୍ରମ ଉଚ୍ଚ ବିଦ୍ୟାଳୟ, ବୋଡ଼େନ ଓ ମା ବୀଣାପାଣି ବଜାଶାଲ, ଜୋନାବିରା ଭଳି ବିଭିନ୍ନ ଦଳ ମନୋହର ପ୍ରଦର୍ଶନ କରିଥିଲେ।
ସେହିପରି, ଦ୍ୱିତୀୟ ସନ୍ଧ୍ୟାର ବିଶେଷ ଆକର୍ଷଣ ଷ୍ଟାର ନାଇଟରେ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟମ ପାଢୀ ଓ ସାଥୀମାନେ ସୁରିଲା ସଙ୍ଗୀତରେ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲେ।ଦ୍ୱିତୀୟ ଦିନରେ ମଧ୍ୟ ବିପୁଳ ସଂଖ୍ୟକ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ସମଗ୍ର ପରିବେଶ ଉତ୍ସବମୟ ରହିଥିଲା।
