ବାଲେଶ୍ୱରରେ ଆଶାଦୀପ ପ୍ରାଇଭେଟ ଲିମିଟେଡ୍ରେ ଶ୍ରମିକ ଆନ୍ଦୋଳନ, ପେମେଣ୍ଟ ନ ମିଳିବାରୁ ଗେଟ୍ ସାମ୍ନାରେ ଅନଶନ
ବାଲେଶ୍ୱର: ୩୧ ମାର୍ଚ୍ଚ ୨୦୨୬- (ଅମରଦୀପ କୁମାର ସିଂ) ଆଶାଦୀପ ପ୍ରାଇଭେଟ ଲିମିଟେଡ୍ କମ୍ପାନୀରେ ନାରୀ ଓ ପୁରୁଷ ଶ୍ରମିକମାନଙ୍କ ଉପରେ ହେଉଥିବା ଶୋଷଣକୁ ନେଇ ଆଜି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ଦିନ ଧରି ଦରମା ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ପ୍ରାୟ ୨୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକ ଆଜି ସକାଳ ୧୧ଟା ସମୟରେ କମ୍ପାନୀର ଗେଟ୍ ସାମ୍ନାରେ ଅନଶନରେ ବସିଥିଲେ। ଶ୍ରମିକମାନଙ୍କ କହିବା ଅନୁସାରେ, ସେମାନେ ବହୁ ଦିନ ଧରି କାମ କରୁଥିଲେ ମଧ୍ୟ ଯଥୋଚିତ ଦରମା ପାଉନଥିବାରୁ ତାଙ୍କର ପରିବାରିକ ଜୀବନ ଦୁର୍ବିଷହ ହୋଇପଡ଼ିଛି। ବିଶେଷ କରି ନାରୀ ଶ୍ରମିକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଆନ୍ଦୋଳନ ସମୟରେ ହିମ ମଜଦୁର ସଭାର ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ଶ୍ଵାଇଁ ଘଟଣାସ୍ଥଳକୁ ପହଞ୍ଚି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ସେ ଶ୍ରମିକମାନଙ୍କ ନ୍ୟାୟସଂଗତ ଦାବି ପୂରଣ ପାଇଁ ପ୍ରୟାସ କରିବେ ବୋଲି ଆଶ୍ୱାସନ ଦେଇଥିଲେ। ଏହି ଆଲୋଚନାରେ A.L.O (Assistant Labour Officer) ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଜିଲ୍ଲା ଶ୍ରମ ବିଭାଗରେ କମ୍ପାନୀ ପକ୍ଷ, ଶ୍ରମିକ ସଂଗଠନ ଓ ଶ୍ରମ ବିଭାଗ ମଧ୍ୟରେ ଏକ ତ୍ରିପକ୍ଷୀୟ ବୈଠକ ହେବାକୁ ନିର୍ଣ୍ଣୟ ହୋଇଛି। ସେଠାରେ ଶ୍ରମିକମାନଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀମାନେ ପ୍ରତିଶୃତି ଦେଇଛନ୍ତି।ଘଟଣାସ୍ଥଳରେ ଶ୍ରମିକମାନଙ୍କ ଭାରି ଉପସ୍ଥିତି ଦେଖାଯାଇଥିଲା ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ତଥାପି ପ୍ରଶାସନ ଓ ଶ୍ରମିକ ନେତାମାନଙ୍କ ହସ୍ତକ୍ଷେପରେ ପରିସ୍ଥିତି କ୍ରମେ ନିୟନ୍ତ୍ରଣରେ ଆସୁଥିବା ଦେଖାଯାଇଛି।
