ମୟୂରଭଞ୍ଜ ସାହିତ୍ୟ ପରିଷଦର
୪୧ତମ ବାର୍ଷିକ ଉତ୍ସବ ପାଳିତ
ବାରିପଦା/
ନବନିର୍ମିତ ନିଜସ୍ବ ସଭାଗୃହରେ ସଦସ୍ୟ/ସଦସ୍ଯା ଓ କାର୍ଯ୍ଯକର୍ତ୍ତା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଯୋଗ ଦେଇଥିବା ସାରସ୍ବତ ଅନୁରାଗୀଙ୍କ ହର୍ଷ ଉଲ୍ଲାସ ମଧ୍ୟରେ ୨୯ ମାର୍ଚ୍ଚ ୨୦୨୬ ମୟୂରଭଞ୍ଜ ସାହିତ୍ୟ ପରିଷଦର ୪୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଓଡିଆ ଭାଷା ଓ ଉତ୍କଳୀୟ ସଂସ୍କୃତିର ପ୍ରତୀକ ପରିଷଦର ପତାକା ଉତ୍ତୋଳନ ହେଲାପରେ ସମାରୋହର ଉଦଘାଟନୀ ମଞ୍ଚ ପ୍ରସ୍ତୁତ ହୋଇଥିଲା। କୋଷାଧ୍ୟକ୍ଷ ଅଧ୍ୟାପକ ସମରେନ୍ଦ୍ର କୁମାର ବଶାଙ୍କ ମଞ୍ଚ ଆମନ୍ତ୍ରଣ ଓ ଅତଥି ପରିଚୟ ପ୍ରଦାନ କ୍ରମେ ଅନୁଷ୍ଠାନର ସଭାପତି ପଦ୍ମନାଭ ସାହୁ ଉତ୍ସବରେ ପୌରୋହିତ୍ଯ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଓ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ସୁଶ୍ରୀ ଭାରତୀ। ବେଦପାଠ କରିଥିଲେ ପଣ୍ଡିତ ଭାଗବତ ପ୍ରସାଦ ପଣ୍ଡା। ପରିଷଦର ବାର୍ଷିକ ବିବରଣୀ ଦେଇଥିଲେ ସମ୍ପାଦକ ଇଂ.ମନୋଜ ଦଳବେହେରା। ଉତ୍ସବରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର୍ ପ୍ରମୋଦ କୁମାର ଶତପଥୀ “ମୁଖ୍ୟ ଅତିଥି”, ବାରିପଦା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, “ବିଶେଷ ସମ୍ମାନିତ ଅତିଥି”ଏବଂ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ “ସମ୍ମାନିତ ଅତିଥି” ଭାବେ ଯୋଗଦାନ ପୂର୍ବକ ଉଦବୋଧନ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ତଥା ଉତ୍କଳୀୟ ଅସ୍ମିତା ଏବଂ ପରମ୍ପରାର ସୁରକ୍ଷା ଦିଗରେ ପରିଷଦର ସୁଦୀର୍ଘ ୪୧ ବର୍ଷର ନିରନ୍ତର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଅତିଥିମାନଙ୍କ ଅମୃତ ହସ୍ତରେ ପରିଷଦର ବାର୍ଷିକ ପତ୍ର “ମୟୂରାକ୍ଷି” ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବର୍ଷିୟାନ ସାହିତ୍ୟିକ ନରସିଂହ ବାରିକ, ବରିଷ୍ଠ କବୟତ୍ରୀ ହାରାମଣି ଦଳେଇ, ବିଶିଷ୍ଟ ଲେଖକ ରାମ ନାରାୟଣ ଗିରି, କବୟିତ୍ରୀ ରାଜଲକ୍ଷ୍ମୀ ଦାସ ଏବଂ ଯୁବ ଲେଖିକା ସୁଚରିତା ବେହେରାଙ୍କୁ ମାନପତ୍ର, ଶାଲ୍, ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ‘ମୟୂରଭଞ୍ଜ ସାହିତ୍ୟ ସମ୍ମାନ ‘, ‘ସରୋଜିନୀ ପ୍ରଫୁଲ୍ଲ ଓତା ସ୍ମୃତି ସମ୍ମାନ ‘, ‘ସଲୀଳା ମହାନ୍ତି ସ୍ମୃତି ସମ୍ମାନ’ ଓ ‘ଲକ୍ଷ୍ମୀ କୁମାରୀ ଦାସ ଯୁବ ଲେଖକ ସମ୍ମାନ’ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ, ପାର୍ବତୀ ବାରିକ, ଗୋପାଳ ଚନ୍ଦ୍ର ସାଓ, ଶର୍ମିଷ୍ଠା ମହାନ୍ତି ଓ ସୁଶ୍ରୀ ଭାରତୀ ବେବର୍ତ୍ତା। ଏହାଛଡା ବିଗତ ଦିନମାନଙ୍କରେ ପରିଷଦର ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ ଓ ସଭାଗୃହ ଉପଲବ୍ଧି କରାଇ ଓଡିଆ ସାହିତ୍ୟ ପ୍ରତି ଶ୍ରଦ୍ଧା ପ୍ରକଟ କରିଥିବା ସ୍ଥାନୀୟ ମହର୍ଷି ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର କରଙ୍କୁ ପୁଷ୍ପ ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ଉତ୍ସବରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସ୍ଥାନୀୟ ପୌରୋପାଳିକା ଓ୍ବାର୍ଡ୍ କାଉନସେଲର୍ ଶ୍ରୀମତୀ ସୁକେଶିନୀ ସେଠୀଙ୍କୁ ମଧ୍ୟ ପର୍ବରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାହୋଇଥିଲା। ଏତଦ୍ ବ୍ୟତୀତ ଭାଷା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସହରକୁ ଅଧିକ ଗତିଶୀଳ କରିବାରେ ସର୍ବଦା ଯତ୍ନବାନ ଥିବା ବାରିପଦା ପୌରପରିଷଦର ନଗରପାଳଶ୍ରୀ କୃଷ୍ଣାନନ୍ଦ ମହାନ୍ତିଙ୍କୁ, ଅନୁପସ୍ଥିତି ହେତୁ ପ୍ରଦାନ ହୋଇ ପାରିନଥିବାରୁ ‘ମୟୂରଭଞ୍ଜ ପୁସ୍ତକ ମେଳା-୨୦୨୬’ ସମ୍ମାନ ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ଏହି ଅବସରରେ କବି ନରସିଂହ ବାରିକଙ୍କ କବିତା ପୁସ୍ତକ “ମନ ନିର୍ଝରିଣୀ” ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚଳନାରେ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଅଜିତ କୁମାର କବାଟ, ସହ ସଂପାଦକ ଶିଉଲାଲ ମହାନ୍ତ, ସଦସ୍ୟ ସୁନୀଲ କୁମାର ଜେନା, ଶଙ୍କର ଜେନା, ଅଜୟ କୁମାର ପାଳ, କୁମାର ବାବୁଲି ଓ ସୁଶ୍ରୀ ଜ୍ଯୋତ୍ସ୍ନା ରାଣୀ ମୁଦି ସହଯୋଗୁ କରିଥିଲେ। ଧନ୍ୟବାଦ ଦେଇଥିଲେ ଯୁଗ୍ମ ସମ୍ପାଦିକା ବାସନ୍ତୀ ଲତା ମହାପାତ୍ର।
ପୁନଶ୍ଚ, ମଧ୍ୟାହ୍ନ ଭୋଜନ ଉପରାନ୍ତ ଦ୍ବିତୀୟ ଅଧିବେଶନର ସାହିତ୍ୟ ସଭା ଓ କବିତା ପାଠ ଏବଂ ଉଦଯାପନୀ କାର୍ଯ୍ୟକ୍ରମ ଆରଂଭ ହୋଇଥିଲା ଉପ ସଭାପତି ଜୟନ୍ତ କୁମାର ଦ୍ବାରୀଙ୍କ ପୌରୋହିତ୍ଯରେ। ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ
ଯଥିକ୍ରମେ ଡଃ ବୀଣାପାଣି ଦାଶ, ଅଧ୍ୟକ୍ଷା ସ୍ବାମୀ ବିବେକାନନ୍ଦ ଶିକ୍ଷାଶ୍ରମ ଶୀରିଶବଣି ଓ ଅବସରପ୍ରାପ୍ତ ଲକ୍ଷ୍ମୀକାନ୍ତ ମହା ବିଦ୍ୟାଳୟ ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। କବିତା ସଂଯୋଜନା କରିଥିଲେ କବି ଡଃ ଶଶିଧର ବିଶ୍ବାଳ ଏବଂ ବରିଷ୍ଠ କବୟତ୍ରୀ ସୁଶ୍ରୀ ବୀଣାପାଣି ପଣ୍ଡା। କବିତା ଗୁଡ଼ିକ ସମୀକ୍ଷା କରିଥିଲେ ସାହିତ୍ୟ ପରିଷଦର ଅନ୍ୟତମ ଉପ ସଭାପତି ଓ ବିଶିଷ୍ଟ କବି ଓ ସିହିତ୍ଯିକା ସୁଶ୍ରୀ କାବେରୀ ମିଶ୍ର। କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ବରିଷ୍ଠ କବୟିତ୍ରୀ ବିରଜା ଦେବୀ ଓ ରଶ୍ମିତା ପାତ୍ର । ପରିଶେଷରେ ଧନ୍ୟବାଦ ଦେଇଥିଲେ ପରିଷଦର ସମ୍ପାଦକ ଇଂ.ମନୋଜ ଦଳବେହେରା।
***
