ନୃସିଂହନାଥ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବରଗଡ :୨୪.୦୩.(ନି, ପ୍ର )ପାଇକମାଳ ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଆସନ୍ତା ବୈଶାଖ ମେଳା ପାଳନକୁ ନଜରରେ ରଖି ଏକ ଗୁରୁତ୍ୟପୂର୍ଣ୍ଣ ପ୍ରସ୍ତୁତିମୂଳକ ବୈଠକ ଆଜି ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଆସନ୍ତା ବୈଶାଖ ମେଳା ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହୋଇ ମଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।
ଏ.ବି.ଡି.ଓ. ପାଇକମାଳ (କମ୍ ଇନ୍ଟରିମ ଟ୍ରଷ୍ଟି) ଦେବାଶିଷ ସିହ୍ନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପାଣ୍ଡବ ଶବର, ବରଗଡ଼ ସାଂସଦ ପ୍ରତିନିଧି ପ୍ରିତେଶ ବହିଦାର, ପଦ୍ମପୁର ବିଧାୟକ ପ୍ରତିନିଧି ଗୌତମ ସିଂହ ଏବଂ ପୂର୍ବ ବିଧାୟକ ସତ୍ୟଭୂଷଣ ସାହୁ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ବିଗତ ବର୍ଷର ଅନୁଭବକୁ ଆଧାର କରି ଏବର୍ଷ ଆୟୋଜନକୁ ଆହୁରି ସୁଦୃଢ଼ କରିବା ଉପରେ ଭାରି ଗୁରୁତ୍ୱ ଦିଆଯାଇଥିଲା। ଭକ୍ତମାନଙ୍କ ବୃଦ୍ଧିଶୀଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ-ଶୃଙ୍ଖଳା, ପାନୀୟ ଜଳ, ବିଦ୍ୟୁତ୍ ସୁବିଧା, ଯାତାୟାତ ବ୍ୟବସ୍ଥାପନ, ଆପତ୍କାଳୀନ ଚିକିତ୍ସା ସେବା ଓ ପରିଷ୍କାରତା ଉପରେ ବିଶେଷ ଯୋଜନା ତିଆରି କରାଯାଇଛି।
ଜିଲ୍ଲାପାଳ ଶ୍ରୀ ଗୋୟଲ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗକୁ ନିଜ ନିଜ ଦାୟିତ୍ୱ ସମୟରେ ସଠିକ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଶାଖ ମେଳା ସମୟରେ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତି ନେବା ପାଇଁ ସମସ୍ତ ବିଭାଗ ସଚେତନ ରହିବାକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା।
ଏହି ବୈଠକରେ ମନ୍ଦିରର ବିଭିନ୍ନ ସଦସ୍ୟ, କର୍ମକର୍ତ୍ତାମାନେ ଓ ସ୍ଥାନୀୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ।
ଶେଷରେ ମନ୍ଦିର ପକ୍ଷରୁ ସମସ୍ତ ଭକ୍ତମାନଙ୍କୁ ମେଳା ସମୟରେ ଶୃଙ୍ଖଳା ପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
