ନାହିଁ ନାହିଁରେ ଚାଲିଛି ବେତନଟୀ ଡାକ୍ତରଖାନା: ରୋଗୀଙ୍କୁ ଦଇବ ସାହା”
ଡାକ୍ତର ମାଳ ମାଳ, ଔଷଧ ନାହିଁ, ଏକ୍ସ-ରେ ମେସିନ୍ ଖରାପ ରୋଗି ବାଧ୍ୟ ହେଉଛନ୍ତି ପ୍ରାଇଭେଟ୍ କ୍ଲିନିକକୁ ଯିବାକୁ
ବେତନଟୀ, ୨୧/୩: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଡାକ୍ତରଖାନାର ଅବସ୍ଥା ଦିନକୁ ଦିନ ଖରାପ ହୋଇଚାଲିଛି। ଦୈନିକ ଶତାଧିକ ରୋଗୀ ଦୂରଦୂରାନ୍ତରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ସତ୍ତ୍ୱେ, ମୌଳିକ ସୁବିଧାର ଅଭାବ ତାଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରୁଛି। ଆତ୍ମ ଘୋଷିତ ଲୋକପ୍ରିୟ ବିଧାୟକଙ୍କ କଥା କଥିତ ଚେଷ୍ଟା ଓ ବିଧାନସଭା ରେ ବାରମ୍ବାର ପ୍ରଶ୍ନ କରିବା ହେତୁ ବେତନଟୀ ଡାକ୍ତରଖାନା କୁ ମାଳ ମାଳ ଡାକ୍ତର ଆସିଛନ୍ତି। ହେଲେ ଲୋକଙ୍କୁ ଦରକାରୀ ଔଷଧ ମିଳୁନାହିଁ, ମିଳୁ ନାହିଁ ଉରିନ୍ ଟେଷ୍ଟ ପାଇଁ ସ୍ଟେରିଲାଇଜ୍ଡ କଣ୍ଟେନର ତ କେବେ ଏକ୍ସ-ରେ (ରଞ୍ଜନ ରଶ୍ମି) ମେସିନ୍ ଅଚଳ ଅବସ୍ଥାରେ ପଡିରହିଛି,।
ଲୋକଙ୍କ ଏହି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆମ ପ୍ରତିନିଧି ଦଳ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନା ପରିଦର୍ଶନ ସମୟରେ ଦେଖାଗଲା ଯେ, ଲୋକମାନେ କରୁଥିବା ଅଭିଯୋଗ ସତ। ପ୍ରାୟ ଗତ ୧ ମାସ ଧରି ଏକ୍ସ-ରେ ମେସିନ୍ ଖରାପ ହୋଇ ଅଚଳ ଅବସ୍ଥାରେ ପଡି ରହିଛି। ଫଳରେ ରୋଗୀମାନଙ୍କୁ ବାଧ୍ୟ କରାଯାଉଛି ପ୍ରାଇଭେଟ୍ କ୍ଲିନିକ ବା ପ୍ରାଇଭେଟ୍ ସେଣ୍ଟରରେ ଏକ୍ସ-ରେ ଓ ଟେଷ୍ଟ କରିବାକୁ ନଚେତ ବାରିପଦା ପି ଆର ଏମ ଡାକ୍ତରଖାନାକୁ ଯିବାକୁ।
ଔଷଧ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅତ୍ୟଧିକ ଦୁର୍ବଳ ଅବସ୍ଥାରେ ରହିଛି। ଡାକ୍ତରମାନେ ଯଦି ୫ଟି ଔଷଧ ଲେଖୁଛନ୍ତି, ସେଥିରୁ ୨ଟି ଡାକ୍ତରଖାନାରେ ମିଳୁନାହିଁ। ଆସ୍ଥାମା ରୋଗୀ ମାନଙ୍କୁ ପ୍ରାୟ ୩-୪ ମାସ ହେବ ମିଳି ପାରିନାହିଁ ଅତିଆବଶ୍ୟକ ଇନହେଲର। ଡାକ୍ତର ଖାନା ପକ୍ଷରୁ ରୋଗୀମାନଙ୍କୁ ‘ପରେ ଆସିବାକୁ’ କୁହାଯାଉଛି, ଯାହା ତାଙ୍କ ପାଇଁ ଅଧିକ ଅସୁବିଧାର କାରଣ ହେଉଛି।
ଏଥିସହ ଲ୍ୟାବ୍ ପରୀକ୍ଷାରେ ମଧ୍ୟ ନାନାଦି ଅବହେଳା ଦେଖିବାକୁ ମିଳିଛି। ଇଉରିନ୍ ଟେଷ୍ଟ ପାଇଁ ଡାକ୍ତରଖାନାରେ ଯଥୋଚିତ ସ୍ଟେରିଲାଇଜ୍ଡ କଣ୍ଟେନର ନଥିବାରୁ ରୋଗୀମାନଙ୍କୁ ବାହାରୁ ଡବା ଆଣିବାକୁ କୁହାଯାଉଛି। କେତେକ ସମୟରେ ପୁରୁଣା, ପରିତ୍ୟକ୍ତ ଇଞ୍ଜେକ୍ସନ୍ ବୋତଲ ଦେଇ ସ୍ୟାମ୍ପଲ୍ ନେବାକୁ କୁହାଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ଏହା ସ୍ୱଚ୍ଛତା ଓ ସଠିକ୍ ପରୀକ୍ଷା ଫଳ ନେଇ ଗଭୀର ପ୍ରଶ୍ନ ଉଠାଇଛି।
ଏହି ସମସ୍ତ ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ, କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ, ସ୍ପଷ୍ଟ ଉତ୍ତର ମିଳିନଥିଲା। ସେହି ପରି ରୋଗୀ ରବୀନ୍ଦ୍ର ବାରିକ ଙ୍କୁ ପଚାରିବାରୁ ସେ କୁହନ୍ତି ଆଗ ସରକାର ଠିକ୍ ଥିଲା ଯେତେ ବେଳେ ଗଲେ ଯେକୌଣସି ଓଷଧ ମିଳୁଥିଲା,ଇନହେଲର ମଧ୍ୟ ମିଳୁଥିଲା କିନ୍ତୁ ଏ ନୂଆ ସରକାର ଆସିବା ପରଠୁ ଖାଲି ରଙ୍ଗ ବଦଳିଲା କିନ୍ତୁ ଓଷଧ କି ଇନହେଲର କିଛି ଠିକ୍ ସମୟରେ ମିଳୁ ନାହିଁ।
