ଡିୟୁଟି ରହିଲା ଅଧା:ସୋରରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଅଧାରେ ରହିଲା ଡିୟୁଟି।ସବୁ ଦିନ ପରି ଆଉ ମାତ୍ର ୩୫ କିମି ପରେ ନିଜ କର୍ତ୍ତବ୍ୟ ସ୍ଥଳରେ ପହଂଚି ଡିୟୁଟି କରିଥାନ୍ତେ, ମାତ୍ର ଯମ ଯେପରି ଜଗି ରହିଥିଲା ଜାତୀୟ ରାଜପଥରେ,ସଡକ ଦୁର୍ଘଟଣାରେ ଚାନ୍ଦିପୁର ଡିଆରଡିଓ ସିକ୍ୟୁରୀଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା କଣ୍ଟିଆ ଗ୍ରାମର ଶ୍ରୀକାନ୍ତ ସୁତାର( ୨୭ ) ଦୀର୍ଘଦିନ ଧରି ଚାନ୍ଦିପୁର ଡିଆରଡିଓରେ ସିକ୍ୟୁରୀଟି ଗାର୍ଡ ଭାବେ କାମ କରନ୍ତି। ଆଜି ରାତିରେ ଡିୟୁଟି ଥିବାରୁ ମଧ୍ୟାହ୍ନରେ ଘରୁ ବାହାରି ଚାନ୍ଦିପୁର ଅଭିମୁଖେ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ବିଜିସିସି କମ୍ପାନୀ ସମ୍ମୁଖରେ ଏକ ଗାଡି ତାଙ୍କୁ ଧକା ଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
