ଭଙ୍ଗାରୁଜା ଅବସ୍ଥାରେ ପଙ୍ଗାତିରା ଏକ୍ସପ୍ରେସ
କାମାକ୍ଷାରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଗୋଟିଏ ବୋଲି ସରକାରୀ ବସ୍ ଭାୟା କାମାକ୍ଷାନଗର ବସଷ୍ଟାଣ୍ଡ ଦେଇ ପ୍ରତିଦିନ ସକାଳେ ପଙ୍ଗାତିରାରୁ ଭୁବନେଶ୍ବରକୁ ଚଳାଚଳ କରୁଛି । ଏହି ସରକାରୀ ବସ୍ର ଭଡା କମ ରହିଥିବାରୁ ପରଜଙ୍ଗ, କାମାକ୍ଷାନଗର, ଢେଙ୍କାନାଳରୁ ପ୍ରତିଦିନ ଶତାଧିକ ଯାତ୍ରୀ ବିଭିନ୍ନ କାମରେ କଟକ ଓ ରାଜଧାନୀକୁ ଯାଆସ କରୁଛନ୍ତି । ବସ୍ ଟି ସାଧାରଣ ଲୋକଙ୍କ ଲାଇଫ୍ ଲାଇନଟି ପାଲଟିଥିଲେ ବି , ଏହି ସରକାରୀ ବସ୍ ପ୍ରତି କାହାର ଦୃଷ୍ଟି ନଥିବାର ଅଭିଯୋଗ ସାମ୍ନାକୁ ଆସିଛି । ବସ୍ଟିର ଦୁଃସ୍ଥିତି ଦେଖି ଯାତ୍ରୀ ଏବେ ଆତଙ୍କିତ ହେଲେଣି । ବାଟରେ କେତେବେଳେ ଯେ ଗାଡ଼ି ଧୋକା ଦେବ କିମ୍ବା କିଛି ନଘଟିବ କେହି କହିପାରିବେ ନାହିଁ, ଏମିତି ଆତଙ୍କରେ କାମାକ୍ଷାନଗରର ସାଧାରଣ ବସ୍ ଯାତ୍ରୀ । କାରଣ ଗାଡିର ସାମ୍ନା ପଟରୁ ଆରମ୍ଭ କରି ପଛ ପଟ ପର୍ଯ୍ୟନ୍ତ ସବୁଠି ଭଙ୍ଗା ରୁଜା ସ୍ଥିତି । ଗାଡ଼ିର ସାମ୍ନା ଭାଗରେ ରହିଥିବା ଚାଳକଙ୍କ ପାଇଁ ଦୁଇଟି ମିରରରୁ ଚାଳକଙ୍କ ସାମ୍ନା, ଡାହାଣ ପଟ ମିରର ଭାଙ୍ଗି ଅନେକ ମାସରୁ ଗୁଣ୍ଡ ହୋଇଯାଇଛି । ତାହା ଲାଗିନାହିଁ । ପଛରୁ କିଛି ଆସୁଛି ଜାଣିବାକୁ ଚାଳକଙ୍କୁ ଭରସା କେବଳ ବାମ ପଟ ମିରର । ପଙ୍ଗାତିରା ଏକ୍ସପ୍ରେସର ପଛ ଚକ ସବୁ ପୁରା ପିଚୁ ପରି ଚିକଣ ହୋଇଗଲାଣି । ଏଥିରେ କୌଣସି ବିଟ ହିଁ ଦେଖାଯାଉନାହିଁ । ଏହା ପରେ ଗାଡ଼ିର ପଛ ପାଶ୍ବରେ ଥିବା ବିଭିନ୍ନ ଅଂଶ ଭାଙ୍ଗି ରୁଜି ଗଲାଣି । କେଉଁଠି ଫାଟିଛି, କେଉଁଠି ଫାଟି ଖଣ୍ଡ ହୋଇ ଗଳି ପଡିଲାଣି । ଜରୁରୀ ସ୍ଥିତି ପାଇଁ ରହିଥିବା ଏମର୍ଜେନ୍ସି ଡୋରକୁ କିଛି କାଗଜ ଜରିଆରେ ମାଡ଼ି ଜାମ୍ ଦେଇ ରଖି ଦିଆଯାଇଛି । ଏହା ସବୁଠାରୁ ସମ୍ବେଦନଶୀଳ କଥା । କୌଣସି କାରଣରୁ ସେହି କାଗଜ ପ୍ୟାଚିଂ ହଟିଗଲେ, ଏମର୍ଜେନ୍ସି ଡୋରଟି ଗଳି ପଡିବା ଥୟ । କେବଳ ଏତିକି ନୁହଁ ବସ୍ଟି ଏତେ ଦୂର ବାଟ ଯାଆସ କରୁଥିବା ବେଳେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଆଖି ବୁଜି ଦେଇଛି ଓଏସଆରଟିସି । ନିୟମ ଅନୁସାରେ ପ୍ରତି ସପ୍ତାହରେ ପଙ୍ଗାତିରା ଏକ୍ସପ୍ରେସ ଗ୍ୟାରେଜରେ ଭର୍ତ୍ତି ହୋଇଥାଏ । ହେଲେ ଏତେ ସବୁ ଭଙ୍ଗାରୁଜା ସ୍ଥିତି କିଛି ବି ମରାମତି ହେଉନି । ତେବେ ଗ୍ୟାରେଜରେ ଗାଡିର କି କାମ ହେଉଛି ସାଧାରଣ ଯାତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି । ଏହି ବସ୍ ଟିର ଶୀଘ୍ର ମରାମତି ଦିଗରେ ଧ୍ୟାନ ଦେବାକୁ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଏବଂ ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନଙ୍କୁ ଦାବି କରିଛନ୍ତି ସାଧାରଣ ଯାତ୍ରୀ । ଯଦି ପଙ୍ଗାତିରା ଏକ୍ସପ୍ରେସ ସରକାରୀ ବସଟିର ମରାମତି ନହୁଏ, ତେବେ ଏହା କିଛି ମାସ ଭିତରେ ଅଚଳ ହୋଇ ପୁଣି ଅଧାବାଟରେ ଅଟକି ଯିବ ବୋଲି କାମାକ୍ଷାନଗର ବସଷ୍ଟାଣ୍ଡରେ ସାଧାରଣ ଯାତ୍ରୀ କହିଛନ୍ତି ।
