(ରମେଶ ଅଗ୍ରୱାଲ.)ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ ମାର୍ଚ୍ଚ ୨୦୨୬ ତାରିଖରେ ଆନ୍ତର୍ଜାତୀୟ ନାରୀ ଦିବସ ଉତ୍ସାହ ଓ ଗମ୍ଭୀରତାର ସହ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ମହିଳା ସେଲ୍ ଓ ଛାତ୍ରୀ ନିବାସ ଯୁଗ୍ମ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନାରୀ ଅଧିକାର, ସମାନତା ଓ ସଶକ୍ତିକରଣ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମର ଆରମ୍ଭରେ ମହିଳା ସେଲ୍ର ଆହ୍ୱାୟିକା ଡ଼. ମାନସୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଅତିଥି, ଶିକ୍ଷକମାନେ ଓ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ସେ ତାଙ୍କ ଭାଷଣରେ ନାରୀଙ୍କ ସମାନ ଅଧିକାର, ସମ୍ମାନ ଓ ସମାଜରେ ସକ୍ରିୟ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଡ଼. ଲିଜା ଶତପଥୀ, ଶକ୍ତିଶ୍ରୀ ସେଲ୍ ପକ୍ଷରୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ବିଶ୍ଳେଷଣାତ୍ମକ ଉଦ୍ବୋଧନ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର କୃଷ୍ଣପ୍ରିୟା ସାହାନୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ନାରୀ ଶିକ୍ଷା ଓ ସ୍ୱାଧୀନତା ସମାଜର ସମଗ୍ର ଉନ୍ନତି ପାଇଁ ଅତ୍ୟାବଶ୍ୟକ। ସେ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ହୋଇ ନିଜ ଲକ୍ଷ୍ୟ ପ୍ରତି ଅଗ୍ରସର ହେବାକୁ ପ୍ରେରିତ କରିଥିଲେ ଓ ସମାଜରେ ସମାନ ଅଧିକାର ସ୍ଥାପନ ପାଇଁ ସଚେତନ ହେବାର ଆହ୍ୱାନ ଜଣାଇଥିଲେ।
ସମ୍ମାନିତ ଅତିଥି ପ୍ରଣତି ପାତ୍ର ତାଙ୍କ ଭାଷଣରେ ନାରୀମାନଙ୍କ ଆତ୍ମନିର୍ଭରତା ଓ ସମାଜରେ ସକ୍ରିୟ ଭୂମିକାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଶିକ୍ଷା, ସଚେତନତା ଓ ସାହସ ମାଧ୍ୟମରେ ନାରୀମାନେ ସମସ୍ତ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ।
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସରସ୍ୱତୀ ରାୟ ଅଧ୍ୟକ୍ଷତା କରି ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ କହିଥିଲେ ଯେ ଶିକ୍ଷା ଓ ସଚେତନତା ମାଧ୍ୟମରେ ନାରୀମାନେ ସମାଜରେ ଆହୁରି ସଶକ୍ତ ଭୂମିକା ନିଭାଇପାରିବେ।
ଏହି କାର୍ଯ୍ୟକ୍ରମରେ ଛାତ୍ରୀ ନିବାସର ୱାର୍ଡେନ୍ ଶ୍ରୀମତୀ ଅନିତା ସାହୁ ଓ ଶ୍ରୀମତୀ ନାଗମଣି କୁମ୍ଭାର, ଛାତ୍ରୀ ନିବାସର ୱାର୍ଡେନ୍ମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। ସେଲ୍ଫ୍ ଡିଫେନ୍ସ ସେଲ୍ର ଦାୟିତ୍ୱରତ ଅଧ୍ୟାପିକା ମୋନାଲିସା ପାଣିଗ୍ରାହୀ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ଲେଫ୍ଟେନାଣ୍ଟ ଉଦୟ ନାୟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁଚାରୁ ଭାବେ ପରିଚାଳନା କରି ସମସ୍ତଙ୍କୁ ସହଯୋଗ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ମହିଳା ଅଧ୍ୟାପିକା ଓ କର୍ମଚାରୀମାନେମାନେ ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ଆହୁରି ସାର୍ଥକ କରିଥିଲେ।
ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାରୀ ସମସ୍ୟା ଓ ସଶକ୍ତିକରଣ ବିଷୟକ ନାଟକ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ହୋଷ୍ଟେଲ୍ ଦାୟିତ୍ୱରତ ଶ୍ରୀମତୀ ନାଗମଣି କୁମ୍ଭାର ଧନ୍ୟବାଦ ଜ୍ଞାପନ କରିଥିଲେ।
