ଜୁନାଗଡ଼ ବଜାର ପଡ଼ାରେ ନାଲି ସମସ୍ୟା : ଜନଶୁଣାଣି ପୋର୍ଟାଲରେ ‘ସମାଧାନ’ ଦେଖାଇ ଲୋକଙ୍କ ଅସନ୍ତୋଷ
ଜୁନାଗଡ଼,୦୮/୦୩(ସୂରଜ ଜୟସୱାଲ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ ଏନ.ଏ.ସି ଅଞ୍ଚଳର ବଜାର ପଡ଼ା, ବି.ସି.ସି ବ୍ୟାଙ୍କ ପଛଭାଗ ଅଞ୍ଚଳରେ ବର୍ଷ ବର୍ଷ ଧରି ଏକ ମୂଳ ଅବସ୍ଥାପନା ସମସ୍ୟା ଦେଖାଯାଉଛି। ଏଠାରେ କୌଣସି ଡ୍ରେନ ବା ନାଲି ବ୍ୟବସ୍ଥା ନଥିବାରୁ ଘରେ ଘରେ ପାଣି ଜମିବା,ଅସୁବିଧା,ଦୁର୍ଗନ୍ଧ ଓ ଅନେକ ରୋଗବାଳି ସୃଷ୍ଟି ହେଉଛି। ସ୍ଥାନୀୟ ଲୋକମାନେ ଏହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ବର୍ଷ କିଛି ପୂର୍ବରୁ ପେଭର୍ ବ୍ଲକ ରାସ୍ତା ତିଆରି କରାଯାଇଥିଲା। ସେଥିବେଳେ ଠିକାଦାରକୁ ନାଲି ତିଆରି କରିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଗ୍ରହଣ କରାଯାଇନାହିଁ। ଏକ ନାଲିର ଅଭାବ ଯୋଗୁ ଖରାପ ପରିସ୍ଥିତି ସୃଷ୍ଟି ହେବା ସହିତ ଜନତା ଦୈନିକ ଜୀବନରେ ଅନେକ ଦୁଃଖଭୋଗ କରୁଛନ୍ତି। ସ୍ଥାନୀୟ ଲୋକମାନେ ଏନ.ଏ.ସି ରେ ଦୁଇଥର ଅଭିଯୋଗ ଦେଇଥିବା ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ବରଂ ଜଣ ଶୁଣାଣି ଅଭିଯୋଗ ପୋର୍ଟାଲରେ ଦିଆଯାଇଥିବା ଅଭିଯୋଗକୁ “ସମାଧାନ ହୋଇଛି” ବୋଲି ଦେଖାଯାଉଥିବା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଭୁଲ ତଥ୍ୟ ପ୍ରଦର୍ଶନ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ଏନ.ଏ.ସି କାର୍ଯ୍ୟାଳୟକୁ ଯିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବା ସହ ତାଙ୍କ ସହ ସଂପର୍କ କରିବା ମଧ୍ୟ ସମ୍ଭବ ହୋଇନଥିବା ଓ ଅନ୍ୟ ଅଧିକାରୀମାନେ ମଧ୍ୟ ତାଲବାହାନା କରୁଥିବା ନେଇ ଲୋକମାନେ ଅସନ୍ତୁଷ୍ଟ ହୋଇଛନ୍ତି। “ମୋ ଘର ପାଖରେ ସବୁବେଳେ ପାଣି ଜମି ରହେ। ପିଲାମାନେ ବାହାରକୁ ଯିବାକୁ ଭୟ କରନ୍ତି। ଦୁର୍ଗନ୍ଧ ଓ ମଛର ପୀଡ଼ା ଅସହ୍ୟ ହୋଇପଡ଼ିଛି। ଏତେ ବର୍ଷ ହେଲା ମଧ୍ୟ ଏନ.ଏ.ସି ପକ୍ଷରୁ କୌଣସି ବ୍ୟବସ୍ଥା ନିଆଯାଉନାହିଁ,” ବୋଲି ଜଣେ ଅସନ୍ତୁଷ୍ଟ ନାଗରିକ କହିଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ, ଯଦି ଏପରି ଅବହେଳା ଚାଲିଥାଏ ତେବେ ସେମାନେ କାହା ପାଖକୁ ଯିବେ? ଜଣେ ନାଗରିକ ଭାବେ ମୂଳ ସୁବିଧା ଆଶା କରିପାରିବେନି କି? ଏହି ସମସ୍ୟା ନେଇ ଏନ.ଏ.ସି ର ଜେ.ଇ ମଧ୍ୟ ଘଟଣାସ୍ଥଳକୁ ଆସି ପରିଦର୍ଶନ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାମ ଆରମ୍ଭ ହେବାର ସୂଚନା ମିଳୁନାହିଁ। ତଦୁପରି ଦ୍ୱିତୀୟ ଥର ପାଇଁ ଜଣ ଶୁଣାଣି ପୋର୍ଟାଲରେ ମଧ୍ୟ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଏତେ ବର୍ଷ ଧରି ସମସ୍ୟା ରହିଥିବା ସତ୍ତ୍ୱେ ଏନ.ଏ.ସି ପକ୍ଷରୁ ଏହି ନାଲି ବା ଡ୍ରେନ କାମ କେବେ ଆରମ୍ଭ ହେବ ବୋଲି ସ୍ପଷ୍ଟ ତଥ୍ୟ କିମ୍ବା ତାରିଖ ଘୋଷଣା ହୋଇନାହିଁ। ଫଳରେ ସ୍ଥାନୀୟ ଲୋକମାନେ ଏହାର ସମାଧାନ ପାଇଁ ଏଯାଁ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।
