ଗ୍ରୀଷ୍ମ ପ୍ରବାହ ର ମୁକାବିଲା ପାଇଁ ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ
(ରମେଶ ଅଗ୍ରୱାଲ.)
ରାୟଗଡ଼ ତା 8.3.2026
ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତିରେଖା ନାୟକ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଦୀପ୍ତି ବଟାଲାଭଦ୍ରା ସମେତ ସରପଞ୍ଚ, ସମିତି ସଭ୍ଯ, ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଳକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ |
ଚଳିତ ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ୁଥିବାରୁ ଅଂଶୁଘାତର ନିୟନ୍ତ୍ରଣ ଓ ଧନ ଜୀବନ, ପଶୁପକ୍ଷୀଙ୍କ ରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା |
ଗ୍ରୀଷ୍ମ ପ୍ରବାହ ତଥା ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରତି ବିଭାଗୀୟ ଅଧିକାରୀ ସମ୍ପୃକ୍ତ ବିଭାଗୀୟ ଯୋଜନା ଗୃହରେ ଉପସ୍ଥାପନ କରିଥିଲେ | ଏଥିପାଇଁ ଏକ କଣ୍ଟିଜେଣ୍ଟ ପ୍ଲାନ ପ୍ରସ୍ତୁତ କରାଯାଇଥିଲା | ସ୍ଵାସ୍ଥ୍ୟ ବିଭାଗର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଓ ଉପ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡିକ ପ୍ରସ୍ତୁତ ରଖିବା, ଆବଶ୍ୟକ ପରିମାଣର ଓଆରଏସ ଓ ଔଷଧ ଗଛିତ ରଖିବା ପାଇଁ କୁହାଯାଇଛି | ପ୍ରତି ପଞ୍ଚାୟତ ଓ ଛକ ଜାଗା, ବସ ରହଣି ସ୍ଥଳରେ ଜଳଛତ୍ରମାନ ଖୋଲିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୂଙ୍କ ନିର୍ଦ୍ଦେଶକୁ ଅବଗତ କରାଯାଇଥିଲା | ସମସ୍ତ ପାନୀୟଜଳ ଉତ୍ସ ଗୁଡିକର ମରାମତି କରାଯାଇ କାର୍ଯ୍ୟକ୍ଷମ କରିବା, ଆବଶ୍ୟକ ନଳକୂପ ଯନ୍ତ୍ରାଂଶ ମହଜୁଦ ରଖିବା, ବର୍ତ୍ତମାନ ଦୁଇଟି ନଳକୂପ ମରାମତି ଗାଡ଼ି କାର୍ଯ୍ୟକ୍ଷମ ଅଛି, ଦରକାର ହେଲେ ଅଧିକ ଗାଡ଼ି ଓ କର୍ମଚାରୀଙ୍କ ବ୍ୟବସ୍ଥା କରାଯିବ, ଜଳକଷ୍ଟ ଗ୍ରାମର ଚିହ୍ନଟ କରାଯାଇ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସହକାରୀ ଯନ୍ତୀ ସୁଶ୍ରୀ ଦୀପ୍ତି କହିଛନ୍ତି |
ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ସମୟ ପରିବର୍ତ୍ତନ କରାଯିବ | ଶ୍ରମିକ ମାନଙ୍କ କାର୍ଯ୍ୟ ନିର୍ଘଣ୍ଟ, ବସ ଗୁଡିକର ଯାତାୟତ ସମୟ ରେ ପରିବର୍ତ୍ତନ , ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପଶୁପକ୍ଷୀଙ୍କ ନିମନ୍ତେ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା | ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ଛତା, ଜୋତା, ଓଦା ଗାମୁଛା ବ୍ୟବହାର ଓ ସତର୍କତା ଅବଲମ୍ବନ ନିମନ୍ତେ ସଚେତନତା ସୃଷ୍ଟି ନିମନ୍ତେ ନିଷ୍ପତ୍ତି ହୋଇଥିଲା | ଅଂଶୁଘାତ ଜନିତ ମୃତ୍ୟୁ ହେଲେ ତହସିଲଦାର ଓ ବିଡିଓଙ୍କୁ ଅବଗତ କରାଇବେ | ପ୍ରତି ଗ୍ରାମରେ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ଗ୍ରାମ୍ୟ ସ୍ତରରେ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗ୍ରାମ ପଞ୍ଚାୟତ ସ୍ତରରେ ନୋଡାଲ ଅଧିକାରୀ ରୁପେ କାର୍ଯ୍ୟ କରିବେ | ବ୍ଳକ ସହ ସମସ୍ତ ଗ୍ରାମ ପଞ୍ଚାୟତ ଓ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ 24 x 7 ନିୟନ୍ତ୍ରଣ କକ୍ଷମାନ ଖୋଲିବା ସହ ତାହାର ଫୋନ ନମ୍ବର ନିଜ କାର୍ଯ୍ୟାଳୟ ବାହରେ ପ୍ରଦର୍ଶନ କରିବେ ଏବଂ ତହା ବ୍ଳକ, ତହସିଲ ଓ ଜିଲ୍ଲା କାର୍ଯ୍ୟାଳୟକୁ ଅବଗତ କରିବା ନିମନ୍ତେ ସମସ୍ତଙ୍କୁ ଅବଗତ କରାଯାଇଥିଲା |
