*ଓଡ଼ିଶା ଦିବସ ପାଳନ ଓ କବିତା ପାଠୋତ୍ସବ*
—
ବାଲେଶ୍ଵର :… : ଓଡ଼ିଶା ସ୍ୱାଭିମାନ ପରିଷଦ ଓ ଓଡ଼ିଶା ରକ୍ତଦାତା ସଂଘର ମିଳିତ ଆନୁକୁଲ୍ୟରେ ତଥା ହୀରାପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଦିବସ ପାଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସ୍ୱାଭିମାନ ପରିଷଦର ସଭାପତି ଜୟନ୍ତ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ନୀଳମଣି ମହାବିଦ୍ୟାଳୟର ଅଧ୍ୟାପିକା ରୋଜାଲିନ ସ୍ବାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫୁଲ୍ଲ କୁମାର ଜେନା ଓ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ସୁବଳ କୁମାର ବେହେରା, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଜିତେନ୍ଦ୍ର କୁମାର ପଣ୍ଡା, ପ୍ରଭାତ କୁମାର ଆଚାର୍ଯ୍ୟ ଓ ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଉତ୍କଳ ଦିବସ ପାଳନର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ଦୃଢ଼ କରାଯିବା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଏହି ଦିବସ ସମସ୍ତ ଓଡ଼ିଶାବାସୀ ମାନଙ୍କ ପାଇଁ ଆତ୍ମଚିନ୍ତନର ଦିବସ ଓ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତ ଗଠନ ନିମିତ୍ତ ଏକ ପବିତ୍ର ସଙ୍କଳ୍ପର ଦିବସ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ ମଧୁସ୍ମିତା ନାୟକ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସୋମନାଥ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଦେବେନ୍ଦ୍ର ଆଚାର୍ଯ୍ୟ, ସଞ୍ଜୟ କୁମାର ପ୍ରଧାନ, କାହ୍ନୁ ଚରଣ ସ୍ବାଇଁ, ସସ୍ମିତା ମହାନ୍ତି ଓ ଯାଜ୍ଞସେନୀ ରାଉତ ପ୍ରମୁଖ ଓଡ଼ିଶା ଦିବସ ସମ୍ପର୍କିତ କବିତା ପାଠ କରିଥିଲେ ।
ଏହି ଅବସରରେ ଅଧ୍ୟାପିକା ରୋଜାଲିନ ସ୍ବାଇଁ ଓ ପ୍ରଧାନ ଶିକ୍ଷକ ସୁବଳ କୁମାର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷକ ସୋମନାଥ ପାତ୍ର, ଗିରିଜା ଶଙ୍କର ସାହୁ, ରେବତୀ ସେଠୀ, ମୁସାରତ ଜାହାଁ, ଅଶୋକ ମୁର୍ମୁ, ଶାନ୍ତି ମାଝୀ ଓ ଶ୍ୱେତପଦ୍ମା ଶୁକ୍ଳା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଓଡ଼ିଶା ରକ୍ତଦାତା ସଙ୍ଗଠନର ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
