ଡ. ସୀତାକାନ୍ତ କରଙ୍କୁ ‘ଦୈବଜ୍ଞ ପ୍ରତିଭା ସମ୍ମାନ’ ପ୍ରଦାନ
ସମ୍ମାନକୁ ମାତାପିତା ଓ ଗୁରୁଜନଙ୍କ ଚରଣେ ସମର୍ପିତ କଲେ ।
ସମ୍ବାଦ ପ୍ରତିବେଦନ
ଭବାନୀପାଟଣା :(କିଶନ ଶର୍ମା)- କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଶ୍ରୀ ସଦାଶିବ ପରିସର, ପୁରୀ ଏବଂ ଧ୍ରୁବଜ୍ୟୋତି ଗବେଷଣା ପ୍ରତିଷ୍ଠାନଙ୍କ ସଂଯୁକ୍ତ ତତ୍ତ୍ଵାବଧାନରେ ୬ ଓ ୭ ଫେବୃଆରୀ ୨୦୨୬ ତାରିଖରେ ଜୟଦେବ ଅଡିଟୋରିୟମ୍ରେ “ଭାରତୀୟ ଜ୍ଞାନ ପରମ୍ପରାରେ ରୋଗ ବିଚାର” ବିଷୟକ ଦ୍ୱିଦିନୀୟ ଆନ୍ତର୍ଜାତୀୟ ସେମିନାର ଭବ୍ୟ ଓ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବେଦପାଠର ମଙ୍ଗଳଧ୍ୱନି ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଏହି ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀର ବେଦ-ବେଦାଙ୍ଗ ପୀଠାଧ୍ୟକ୍ଷ ଏବଂ ଉତ୍ତରାଖଣ୍ଡ ସଂସ୍କୃତ ୟୁନିଭର୍ସିଟିର ପୂର୍ବତନ କୁଳପତି ପ୍ରୋଫେସର ଦେବୀ ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ଭାରତୀୟ ଜ୍ଞାନ ପରମ୍ପରାର ବୈଜ୍ଞାନିକ ଭିତ୍ତି ଓ ଆଧୁନିକ ପରିପ୍ରେକ୍ଷିରେ ଏହାର ପ୍ରାସଙ୍ଗିକତା ବିଷୟରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବେଦ, ବେଦାଙ୍ଗ, ପୁରାଣ, ଉପନିଷଦ ଓ ଜ୍ୟୋତିଷ ଶାସ୍ତ୍ରରେ ରୋଗ ନିର୍ଣ୍ଣୟ ଓ ନିବାରଣ ସମ୍ବନ୍ଧୀୟ ଗଭୀର ତତ୍ତ୍ୱ ନିହିତ ଅଛି, ଯାହା ଆଜିର ସମାଜ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ।
ଏହି ଅବସରରେ ଭାଜପା ଜିଲ୍ଲା ସଭାପତି ଡା. ଦେବେନ୍ଦ୍ରନାଥ ତରାଇ ଏବଂ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ ମଧ୍ୟ ଯୋଗଦେଇ ଭାରତୀୟ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ପ୍ରଚାରର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ।
ଦୁଇଦିନ ଧରି ଦେଶ-ବିଦେଶରୁ ଆସିଥିବା ପ୍ରସିଦ୍ଧ ଗବେଷକ, ଅଧ୍ୟାପକ ଓ ପଣ୍ଡିତମାନେ ବେଦ, ବେଦାଙ୍ଗ, ପୁରାଣ, ଉପନିଷଦ ଓ ଜ୍ୟୋତିଷ ଆଦି ଶାସ୍ତ୍ରରେ ରୋଗ ବିଚାର ସମ୍ବନ୍ଧୀୟ ତାଙ୍କର ଗବେଷଣାପତ୍ର ପ୍ରସ୍ତୁତ କରିଥିଲେ। ଶାସ୍ତ୍ରୀୟ ଚର୍ଚ୍ଚା, ପ୍ରଶ୍ନୋତ୍ତର ଓ ମନ୍ଥନ ମାଧ୍ୟମରେ ଅନେକ ନୂତନ ଦୃଷ୍ଟିକୋଣ ଉଦ୍ଭାସିତ ହୋଇଥିଲା।
ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ପ୍ରସିଦ୍ଧ ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ବିଦ୍ୱାନ ଡା. ସୀତାକାନ୍ତ କରଙ୍କୁ “ଦୈବଜ୍ଞ ପ୍ରତିଭା ସମ୍ମାନ” ପ୍ରଦାନ। ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନ, ଗଭୀର ଅଧ୍ୟୟନ ଓ ସମାଜମୁଖୀ ସେବା ପାଇଁ ଏହି ସମ୍ମାନ ଦିଆଯାଇଥିଲା। ସମ୍ମାନ ଗ୍ରହଣ ପରେ ଡା. କର ନିଜ ଅଭିଭାଷଣରେ କହିଥିଲେ ଯେ, ଏହି ସମ୍ମାନ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ତାଙ୍କର ମାତାପିତାଙ୍କ ଆଶୀର୍ବାଦ ଓ ଗୁରୁଜନଙ୍କ କୃପାର ଫଳ। ସେ ଏହି ସମ୍ମାନକୁ ନିଜ ମାତାପିତା ଓ ସମସ୍ତ ଗୁରୁଜନଙ୍କ ଚରଣେ ସମର୍ପିତ କରିଥିବା କଥା ଭାବବିହ୍ୱଳ ଭାବରେ ପ୍ରକାଶ କରିଥିଲେ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶାସ୍ତ୍ରୀୟ ଗମ୍ଭୀରତା, ସାହିତ୍ୟିକ ମାଧୁର୍ଯ୍ୟ ଓ ସାଂସ୍କୃତିକ ଉତ୍ସାହର ସମନ୍ୱୟରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଏହି ସେମିନାର ଭାରତୀୟ ଜ୍ଞାନ ପରମ୍ପରାର ପ୍ରଚାର-ପ୍ରସାର ଓ ଗବେଷଣାକୁ ନୂତନ ଦିଗ ଦେଇଥିବାରୁ ଏହା ଏକ ସ୍ମରଣୀୟ ଅଧ୍ୟାୟ ଭାବେ ପରିଚିତ ହେବ ବୋଲି ଅନୁମାନ କରାଯାଉଛି।
