ସଂଗୀତଜ୍ଞ ତ୍ରିପୁରାରି ସାବତ ଦକ୍ଷିଣ ଓଡ଼ିଶା ସାଂସ୍କୃତିକ କ୍ଷେତ୍ରର ଜାଗ୍ରତ ପ୍ରହରୀ ଥିଲେ : କଳାକେନ୍ଦ୍ର
ବ୍ରହ୍ମପୁର, ତା. ୧୧/୦୨ :
ରାଜ୍ୟର ସର୍ବ ପୁରାତନ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର” ପକ୍ଷରୁ କଲକେନ୍ଦ୍ରର ପ୍ରତିଷ୍ଠାତା ସଂଗୀତଜ୍ଞ ତ୍ରିପୁରାରି ସାବତଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଶିଶୁ ସାହିତ୍ୟିକ ହାଡିବନ୍ଧୁ ମାଳିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ଅତିଥି ଏବଂ ପ୍ରଥିତଯଶା କବୟିତ୍ରୀ ନିହାରିକା ସାହୁ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ସଂଗୀତଜ୍ଞ ତ୍ରିପୁରାରି ସାବତ ଦକ୍ଷିଣ ଓଡ଼ିଶା ସାଂସ୍କୃତିକ କ୍ଷେତ୍ରର ଜନୈକ ଜାଗ୍ରତ ପ୍ରହରୀ ଥିଲେ ବୋଲି ମତବ୍ୟକ୍ତ କରିବା ସହ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ଉପସ୍ଥାପନ କରିଥିଲେ। କଳାକେନ୍ଦ୍ରର ସମ୍ପାଦକ ସ୍ଵରାଗୌରବ କୃଷ୍ଣ ପ୍ରଶାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନିତ୍ୟାନନ୍ଦ ପାଢ଼ୀ, ଅଭିରାମ ଚୌଧୁରୀ, ଅରୁଣ କୁମାର ସାହୁ, ରାମ ପ୍ରସାଦ ସାବତ, ଲକ୍ଷ୍ମୀ ନାରାୟଣ ଆଚାରୀ, ପ୍ରଦୀପ କୁମାର ସାହୁ, ଶ୍ରୁତି ସ୍ୱାଧୀନା ସାବତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଆଇନଜୀବୀ କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
