—————————————————-
ଉତ୍କଳ ଆଶ୍ରମ ଶତବାର୍ଷିକୀ ସମାରୋହ ଉଦ୍-ଯାପିତ
—————————————————-
‘ଉତ୍କଳ ଆଶ୍ରମ ଆମ ଜାତୀୟତାର ଐତିହାସିକ ସ୍ମୃତିପୀଠ’
—————————————————-
ବ୍ରହ୍ମପୁର, ୨୨l0୧ : ଓଡ଼ିଆ ଜାତୀୟତାର ଐତିହାସିକ ସ୍ମୃତିପୀଠ ଉତ୍କଳ ଆଶ୍ରମ ଶତବର୍ଷିକୀ ସମାରୋହର ଉଦ୍-ଯାପନୀ ମହୋତ୍ସବ ଆଜି ଏକ ଭାବପୂର୍ଣ୍ଣ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବର୍ଷ ସାରା ଉତ୍କଳ ଆଶ୍ରମ ନ୍ୟାସ ଆନୁକୂଲ୍ୟରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଲୋଚନା ଚକ୍ର, ପାଠଚକ୍ର, ସ୍ମାରକୀ ବକ୍ତୃତା ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରଯାଇଥିଲା l ପରେ ପରେ ଉତ୍କଳ ଆଶ୍ରମ ଜାତୀୟ ଭବନ ନିର୍ମାଣରେ ଯେଉଁ ବିଶିଷ୍ଟ ବ୍ୟକ୍ତି ଓ ବରପୁତ୍ରମାନଙ୍କ ବିଶେଷ ଅବଦାନ ରହିଥିଲା, ସେମାନଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା l
ଉତ୍କଳ ଆଶ୍ରମ ନ୍ୟାସର ବରିଷ୍ଠ ସଦସ୍ୟ କୃଷ୍ଣ ଚରଣ ସିଂହ ଶତବାର୍ଷିକୀ ଉଦ୍-ଯାପନୀ ମହୋତ୍ସବରେ ପୌରୋହିତ୍ୟ କରିଥିଲେ l ନ୍ୟାସର ସଂପାଦକ ଡକ୍ଟର୍ ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରାକ୍-ସୂଚନା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଏହି ମହୋତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ମୁଖ୍ୟଅତିଥି ଓ ଯଶସ୍ବୀ ଇତିହାସ ଗବେଷକ ଡକ୍ଟର୍ ଅନନ୍ତରାମ କର କୌଣ୍ଡିନ୍ୟ ମୁଖ୍ୟବକ୍ତା ରୂପେ ଯୋଗଦେଇ ଉତ୍କଳ ଆଶ୍ରମ ନିର୍ମାଣର ଇତିହାସ, ହିତବାଦିନୀ ସଭା ଓ ଗଞ୍ଜାମ ଜାତୀୟ ସମିତିର ଭୂମିକା, ଉତ୍କଳ ସମ୍ମିଳନୀର ସର୍ବାଧିକ ଅଧିବେଶନ ଆୟୋଜନ, ତତ୍କାଳୀନ ଓଡ଼ିଶାର ବିଶିଷ୍ଟ ବରପୁତ୍ରଙ୍କ ଅବଦାନ ବିଷୟରେ ତଥ୍ୟାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ, ସୁଖ୍ୟାତ ସାହିତ୍ୟ ଓ ସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ, ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ବଡ଼ଖେମୁଣ୍ଡି ରାଜ ପରିବାରର ସଦସ୍ୟ ଲଳିତ ମୋହନ ଦେଓ, ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଡ. ସୁବ୍ରତ କୁମାର ସାହୁ, ବଡ଼ଖେମୁଣ୍ଡି ରାଜ ପରିବାରର ସଦସ୍ୟ ସିଦ୍ଧାନ୍ତ କୁମାର ଗଙ୍ଗଦେଓ ପ୍ରମୁଖ ଉତ୍କଳ ଆଶ୍ରମ ପ୍ରତିଷ୍ଠାର ସ୍ମୃତିଚାରଣ କରିଥିଲେ l ଡ. କୁଳମଣି ଓଝାଙ୍କ ସଂଯୋଜନାରେ ସଂଚାଳିତ ଉଦ୍-ଯାପନୀ ମହୋତ୍ସବରେ ଡ. ବନମାଳୀ ପାଣିଗ୍ରାହୀ ଅତିଥି ପରିଚୟ ଓ ଡ. କୃଷ୍ଣପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ‘ଉତ୍କଳ ଆଶ୍ରମ ଶତବର୍ଷିକୀ ସ୍ମୃତିଗ୍ରନ୍ଥ’ ଓ କଳିଙ୍ଗ ସାହିତ୍ୟ ସମାଜର ମୁଖପତ୍ର ‘କଳିଙ୍ଗର ସ୍ୱର’ ଲୋକାର୍ପିତ ହୋଇଥିଲା l
ଏହି ଅବସରରେ ଚିତ୍ରଶିଳ୍ପୀ କେଦାର ଆପ୍ତା, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଭାରତଲୀଳା ଗୁରୁ ସନ୍ତୋଷ ପାଢ଼ୀ, ଡ. ସୁବ୍ରତ କୁମାର ସାହୁ, ଡା. ସାଗର ରଞ୍ଜନ ତ୍ରିପାଠୀ, ଲୋକନୃତ୍ୟ ଗୁରୁ ଆଲୋକ ବିଷୋୟୀ, ସମାଜସେଵୀ ବାଳକୃଷ୍ଣ ସାମନ୍ତରାୟ, ଯୁବ ସମାଜସେଵୀ ତୁତୁନ୍ ପାତ୍ରଙ୍କ ସମେତ ୧୫ ଜଣ ବ୍ୟକ୍ତିଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l
ଅପରାହ୍ଣରେ ଆୟୋଜିତ ଜାତୀୟତାବାଦୀ କବିତା ଆବୃତ୍ତି ଆସରରେ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ପୌରୋହିତ୍ୟ କରିଥିଲେ l ଡ. ବନମାଳୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଆସରରେ କବି ପ୍ରଶାନ୍ତ ମହାନ୍ତି ଓ କବି ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜାତୀୟତାବାଦୀ କବିତାର ଧାରା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଦିନବନ୍ଧୁ ଶ୍ରୀପଲ୍ଲଵ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏହି ଆସରରେ ୨0ରୁ ଊର୍ଦ୍ଧ୍ଵ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ l
ସନ୍ଧ୍ୟାରେ ‘ସ୍ଵରାଞ୍ଜଳି’ ପକ୍ଷରୁ ଅଭୟେନ୍ଦୁ ଶେଖର ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦେଶାତ୍ମବୋଧକ ସଂଗୀତ ଓ ପାରମ୍ପରିକ ଓଡ଼ିଶୀ ସଂଗୀତ, ଚମ୍ପୂ ଓ ଛାନ୍ଦ ଗାନ କରାଯାଇଥିଲା l କଣ୍ଠଶିଳ୍ପୀ ଭବାନୀ ଶଙ୍କର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ଯତୀନ୍ ଦାସ ନିର୍ଦ୍ଦେଶନା ଦେଇଥିଲେ l
ଦିବସ ବ୍ୟାପୀ ଏହି ମହୋତ୍ସବ ପରିଚାଳନାରେ ଡ. ରମେଶ ଚନ୍ଦ୍ର ପ୍ରଧାନ, ଡ. ଶରତ କୁମାର ଜେନା, ଡ. ହୃଷୀକେଶ ପଣ୍ଡା, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା ଓ ନଳିନୀକାନ୍ତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l
