ପର୍ଯ୍ୟଟକ ଋତୁ ସରିଲା ପରେ ମିଳିଲାନି ପାନୀୟ ଜଳ, ଅବହେଳାରେ ମାଆ କିଚକେଶ୍ୱରୀ ପୀଠ
ଇନ୍ଦ୍ରଜିତ ମିଶ୍ର ଙ୍କ ରିପୋର୍ଟ ଭଞ୍ଜ ଦୂତ
ଶୁକୃଳି….ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ପବିତ୍ର ମନ୍ଦିରରେ ଦୈନନ୍ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏହି ଐତିହାସିକ ପୀଠ ଏକ ବଡ଼ ଆକର୍ଷଣ କେନ୍ଦ୍ର।
ଗତ ବର୍ଷ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତ ସରକାରଙ୍କ ପ୍ରସାଦ ଯୋଜନାରେ ଏହି ପୀଠକୁ ସାମିଲ କରାଯାଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାର ଭାରି ଅଭାବ ଦେଖିବାକୁ ମିଳୁଛି।
ବିଶେଷକରି ଶୀତ ଋତୁରେ ସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀ, ସହିତ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଯାଉଥିବା ବେଳେ, ମନ୍ଦିର ପରିସରରେ ପାନୀୟ ଜଳ ଭଳି ମୌଳିକ ସୁବିଧା ମିଳୁନାହିଁ। ଏକ ଗ୍ଲାସ୍ ସ୍ୱଚ୍ଛ ପାନୀୟ ଜଳ ପାଇବାକୁ ପର୍ଯ୍ୟଟକମାନେ ଦୁର୍ଭୋଗ ସହିବାକୁ ବାଧ୍ୟ ହେଉଛନ୍ତି।
ପର୍ଯ୍ୟଟକ ଋତୁ ସରିଯିବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକ ଓ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସମ୍ପୃକ୍ତ ପ୍ରଶାସନ ଏହି ପବିତ୍ର ପୀଠରେ ତୁରନ୍ତ ପାନୀୟ ଜଳ ସହିତ ଆବଶ୍ୟକ ମୌଳିକ ସୁବିଧା ବ୍ୟବସ୍ଥା କରିବାକୁ ସାଧାରଣ ଦାବି କରୁଛନ୍ତି।
ଇନ୍ଦ୍ରଜିତ ମିଶ୍ର ଙ୍କ ରିପୋର୍ଟ୍
