*ମା ଦ୍ବାରଶୁଣୀଙ୍କ ପୀଠରେ ମକର ମେଳା ଓ ଅଖଣ୍ଡ ହରିନାମ ଯଜ୍ଞ*
ଭଞ୍ଜଦୂତ ଖବର (ଅଂଶୁମାନ ଘୋଷ)
ବାଙ୍ଗିରିପୋଷି (୧୩/୦୧)- ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ସ୍ଥିତ ବରଦା ବରଦାୟିନୀ ମା ଦ୍ବାରଶୁଣୀଙ୍କ ଆସ୍ଥାନରେ ମକର ମେଳା ଓ ପଞ୍ଚରାତ୍ର ଅଖଣ୍ଡ ହରିନାମ ଯଜ୍ଞ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଅଛି l ଲୋକମାନଙ୍କ କହିବା ଅନୁସାରେ ଆଜିକୁ ପ୍ରାୟ ୨୨ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହାରେ ନିର୍ମାଣ ହୋଇଥିଲା ମା ଦ୍ବାରଶୁଣୀଙ୍କ ଏହି ମନ୍ଦିର l ଅନେକ ବର୍ଷ ପୂର୍ବରୁ ମା ଶାଳ ଏବଂ ଅଶନ ଗଛ ମୂଳରେ ପୂଜା ପାଉଥିଲେ l ମା’ଙ୍କ ଏହି ପ୍ରସିଦ୍ଧ ପୀଠରେ ରାଜା ରାଜୁଡ଼ା ଅମଳରୁ ଦେହୁରୀ ପୂଜକଙ୍କ ଦ୍ୱାରା ପୂଜା ବିଧି ଅନୁଷ୍ଠିତ ହୋଇ ଆସୁଅଛି l ପାହାଡିଆ ରାସ୍ତା ଦେଇ ବିଭିନ୍ନ ଯାନବାହାନ ଚଳାଚଳ କରୁଥିବା ସମୟରେ ସମସ୍ତଙ୍କୁ ସାହା ହୁଅନ୍ତି ଏହି ଘାଟିର ଅଧିଷ୍ଠାତ୍ରୀ ଦେବୀ ମା ଦ୍ବାରଶୁଣୀ l ଘାଟିର ଦୁଆରକୁ ଜଗିରହିଥିବା ମା’ଙ୍କ ପ୍ରସିଦ୍ଧି ଓ ମହିମା ଏ ଅଞ୍ଚଳ ଦେଇ ଗାଡି ଚାଳନା କରୁଥିବା ସାରା ଭାରତର ସମସ୍ତଙ୍କୁ ଜଣା l ମା’ଙ୍କ ପ୍ରସିଦ୍ଧ ପୀଠରେ ମେଳା ଅବସରରେ ଅହରାତ୍ର ନାମ ସଂକୀର୍ତ୍ତନ ହେବା ସହ ବିଭିନ୍ନ ଦୋକାନ ବଜାର ପସରା ଦେଖିବାକୁ ମିଳେ l ଏହି ପ୍ରସିଦ୍ଧ ମେଳା ସମୟରେ ଏହି ପୀଠର ସନ୍ନିକଟ ସୁଉଚ୍ଚ ପାହଡ଼ ଉପରକୁ ଭକ୍ତମାନଙ୍କର ସୁଅ ଛୁଟିଥାଏ l କଷ୍ଟକର ପଥ ଦେଇ ଉପରକୁ ଉଠୁଥିବା ଭକ୍ତମାନଙ୍କ ନିମନ୍ତେ ମୁଖ୍ୟ ଆକର୍ଷଣ ପାଲଟିଥାଏ ଏହି ପାହାଡରେ ରହିଥିବା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର ଗୁମ୍ଫା l
ଏହି ମେଳାରେ ଓଡ଼ିଶା ଓ ପଡୋଶୀ ରାଜ୍ୟ ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଲୋକମାନଙ୍କ ଅନେକ ଲୋକଙ୍କ ସମାଗମ ହୋଇଥାଏ l
