ବରୁଆଁ-କଳାମାଟିଆ ରାସ୍ତାରେ ମର୍ମନ୍ତୁଦ ବସ ଦୁର୍ଘଟଣା, ଜଣେ ମୃତ ୩ ଜଣ ଗୁରୁତର ଆହତ ll
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ଜୟନ୍ତ ପଣ୍ଡା
ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ – କଳାମାଟିଆ ରାସ୍ତାର ଧୋବାଗଳୀ ଛକ ନିକଟରେ ଆଜି ସକାଳୁ ବରୀରୁ କଟକ ହରଗୌରୀ ନାମକ ବସ୍ (OD05A N0570)ଆସିବା ସମୟରେ ହଠାତ୍ ଏକ ବାଇକ୍ ବସ୍ ର ସମ୍ମୁଖକୁ ଚାଲି ଆସିଲା, ବାଇକ୍ ଚାଳକକୁ ରକ୍ଷା କରିବାକୁ ଯାଇ ବସ୍ ଚାଳକ ରାସ୍ତାର ବାମ ପଟକୁ କାଟିବା ସମୟରେ ପ୍ରାତଃ ଭ୍ରମଣ କରି ଆସୁଥିବା ୪ ଜଣ ଯୁବକଙ୍କୁ ଧକ୍କା ଦେବାରୁ ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା।ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବାସହ ରାସ୍ତାରୋକ ମଧ୍ୟ କରାଯାଇଥିଲା।ଖବର ପାଇ ସଦର ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଥିଲେ ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ତିନି ଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ ଟାଉନଥାନା ପୋଲିସ ଅଧିକାରୀ ବାମଦେବ ନନ୍ଦ ଯାଜପୁର ଅତିରିକ୍ତ ତହସିଲଦାର ଜି ହରେକୃଷ୍ଣ ପହଞ୍ଚି ଲୋକଙ୍କୁ ବୁଝାବୁଝି କରିଥିଲେ। ଖବର ପାଇ ଯାଜପୁର ବିଧାୟିକା ସୁଜାତା ସାହୁ ,ବିଜେପି ନେତା ସଂଗ୍ରାମ ପାତ୍ର ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାବୁଝି କରି ଆନ୍ଦୋଳନ ରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ। ଦିନ ୧୨ ଟା ସମୟରେ ରାସ୍ତାରୋକ ହଟାଇ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।ଆହତଙ୍କ ମଧ୍ୟରୁ ରବୀନ୍ଦ୍ର ଜେନା ଙ୍କ ପୁଅ ଅଭୟ ଜେନା (୨୦)ଙ୍କର କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ଯୁବକ ବସନ୍ତ ଜେନାଙ୍କ ପୁଅ କିଶୋର (୧୫) ଓ ବିପିନ ଜେନା ଙ୍କ ପୁଅ ମନମୋହନ (୧୮) ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଭାବରେ ବୀରକିଶୋର ଜେନାଙ୍କ ପୁଅ ରାକେଶ (୧୮) ମଧ୍ୟ ଯାଜପୁର ରେ ଚିକିତ୍ସିତ ଅଛନ୍ତି।
