କୋଇଲା ବୋଝେଇ ଗାଡି ଚଳାଚଳ ବନ୍ଦ ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
ସ୍ଥାନ ପରଜଙ୍ଗ
ପରଜଙ୍ଗ ରେଳଷ୍ଟେସନ କୋଇଲା ଡିପୋକୁ ବାରିହାପୁର ପଞ୍ଚାୟତ ରାସ୍ତା ଦେଇ କୋଇଲା ବୋଝେଇ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ଗ୍ରାମ ଦୋଳମଣ୍ଡପ ରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶୁକ୍ରବାର ଠାରୁ ଗଣଧାରଣା ରେ ବସିଛନ୍ତି। ରେଳଷ୍ଟେସନ କୋଇଲା ଡିପୋକୁ ବରିହାପୁର ଗ୍ରାମ ଦେଇ ଗାଡି ଚଳାଚଳ ହେବା ଦିନଠାରୁ ଗ୍ରାମବାସୀ ବିଭିନ୍ନ ସମୟରେ ବିରୋଧ କରୁଥିବା ସ୍ଵତ୍ତେ କୋଇଲା ପରିବହନ ଠିକା ସଂସ୍ଥା ପ୍ରଶାସନ ଓ ପୁଲିସ କୁ ଚାପ ପ୍ରୟୋଗ କରି ବିରୋଧ କରୁଥିବା ଲୋକଙ୍କୁ ଭୟଭୀତ କରି ବିରୋଧକୁ ଭଣ୍ଡୁର କରି ବଳପୂର୍ବକ ଗାଡି ଚଳାଚଳ କରିଆସୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୁରୁବାର ପୂର୍ବତଟ ରେଳବାଇ ଅଧିକୃତ ଜମି ରାସ୍ତାରେ ଗ୍ରାମବାସୀ ପକ୍ଷରୁ ଅସ୍ଥାୟୀ ପାଚେରୀକୁ ପରଜଙ୍ଗ ତହସିଲଦାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ପରଜଙ୍ଗ ଥାନା ଅଧିକାରୀ ଓ ବହୁଳ ପୁଲିସ କର୍ମଚାରୀ ମାନେ ଉଛେଦ କରି ଗାଡି ଚଳାଚଳ ନିମନ୍ତେ ମସୁଧା ଚଳାଇଥିଲେ। ସନ୍ଧ୍ୟା ବେଳକୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗାଁ ଶ୍ମଶାନକୁ ଯିବା ପାଇଁ ରେଳବାଇ ଅଧିକୃତ ଜମି ଦେଇ ଯିବାକୁ ରହିଛି। ଗ୍ରାମବାସୀ ଶବଦାହ ପୂର୍ତ୍ତ ବିଭାଗ ରାସ୍ତା ଉପରେ କରିବା ସ୍ଥିର କରୁଥିବା ଜାଣିପାରି ତହସିଲ ଓ ପୁଲିସ ପ୍ରଶାସନ ପଳାୟନ କରିଥିଲେ। ଶୁକ୍ରବାର ପରଜଙ୍ଗ ତହସିଲଦାର ସୁଦେବ ପୃଷ୍ଟି, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ,କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଧିରେନ କୁମାର ବେହେରା,ମହାବିରୋଡ ଥାନା ଅଧିକାରୀ କାଶୀନାଥ ହାଁସନ୍ଦା, କଙ୍କଡ଼ାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା,ତୁମୁସିଂହା ଥାନା ଅଧିକାରିଣୀ ମନସ୍ଵିନୀ ମହାନ୍ତି,ଭୁବନ ଥାନା ଅଧିକାରୀ ସମେତ ସାଆନ୍ଦ, ସରାଙ୍ଗ, ଦଦରାଘାଟି ଫାଣ୍ଡି ଅଧିକାରୀ ଓ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଦୋଳମଣ୍ଡପ ଠାରେ ମୁତୟନ ହୋଇ କୋଇଲା ବୋଝେଇ ଗାଡି ଚଳାଚଳ କରାଇଥିଲେ। ଗ୍ରାମବାସୀ ଏକତ୍ରିତ ହୋଇ ଯେ ପର୍ଯ୍ୟନ୍ତ କୋଇଲା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ନ ହୋଇଛି ସେତେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
