ଯାଜପୁର ଜିଲ୍ଲାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାସ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମ ନିମନ୍ତେ ସାମ୍ବାଦିକ ସମ୍ମିଳନୀ।
ଯାଜପୁର/(ଭଞ୍ଜଦୂତ :ନିପ୍ର )ରିପୋର୍ଟର :-ସରୋଜ କୁମାର ଧଳ
ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜିଲ୍ଲାସ୍ତରୀୟ ଜନ୍ମଜୟନ୍ତୀ ଅବସରରେ ଆଗାମୀ ଏକ ମାସ ଅବଧି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ସମ୍ମିଳନୀ ସଭାରେ ଜିଲ୍ଲାପାଳ ଶ୍ରୀ କର କହିଲେ ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାରେ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାର ୩ଟି ସ୍ଥାନରେ ପଦଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ମାନ ସଭା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପଦଯାତ୍ରାରେ ଜିଲ୍ଲା ଭିତରୁ ୧୦୦୦ ରୁ ୧୫୦୦ (୧୪ ବର୍ଷରୁ ଅଧିକ) ଯୁବ ଓ ନାଗରିକ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଏନସି ସି , ନେହେରୁ ଯୁବ କେନ୍ଦ୍ର, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ସ୍ୱୟଂସହାୟିକ ଦଳ ସଦସ୍ୟ, ବରିଷ୍ଠ ନାଗରିକ ବୃନ୍ଦ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଅବସରରେ ୩୧ ଅକ୍ଟୋବର ଠାରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ପଦଯାତ୍ରା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଓ ନୋଡାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ପ୍ରବନ୍ଧ,ବକ୍ତୃତା, ପୋଷ୍ଟର ମେକିଙ୍ଗ, ସ୍ଲୋଗାନ ରାଇଟିଙ୍ଗ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଆଜି ଅଧିକାରୀ ମାନଙ୍କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ଵିତୀୟ ପ୍ରସ୍ତୁତି ବୈଠକ ରେ ପଦଯାତ୍ରା ସ୍ଥାନ ଓ ଯୋଗଦେବାକୁ ଥିବା ଅତିଥି ଙ୍କ ସମ୍ପର୍କ ରେ ସ୍ଥିର କରାଯିବ। ଏହି ମାସ ପାଳନ ଅବସରରେ ଜିଲ୍ଲାର ପ୍ରତି ପଂଚାୟତ ଓ ମୁନିସିପାଲିଟି ରେ ସ୍ୱଛତା ଅଭିଯାନ କରାଯିବ। ପ୍ରତି ବ୍ଲକ ପାଇଁ ସୋସିଆଲ ମେଡ଼ିଆ ଇଂଫ୍ଲୁଏନ୍ସର ଚୟନ କରାଯାଇ ବ୍ୟାପକ ପ୍ରଚାର ପ୍ରସାର କରାଯିବ। ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସାଂସଦ ଓ ବିଧାୟକ ମାନେ ଅତିଥି ଭାବେ ଯୋଗଦେବେ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କର ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ୀ ମଧ୍ୟରେ ଜାତୀୟ ଏକତା, ସାମ୍ପ୍ରଦାୟିକ ସମ୍ମିଳନ ଓ ଦେଶପ୍ରେମର ବାର୍ତ୍ତା ପ୍ରଚାର ହେବ ବୋଲି କହିଥିଲେ।
ଉକ୍ତ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ. ଜିଲ୍ଲା ୟୁଥ ଅଫିସର, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
