ଦେହରେ ପେଟ୍ରୋଲ ଢାଳି ଜଣେ ମୃତ !
ଢେଙ୍କାନାଳ –
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏକ ଅଭାବନୀୟ ଘଟଣାରେ ପୋଡି ହୋଇ ଜଣେ ମୃତ୍ୟୁବରଣ କରିଛନ୍ତି। ଖବରରୁ ପ୍ରକାଶ ବାଲିମି ଥାନା ଠୋକର ପଂଚାୟତର ଧରଣୀଧର ସାମଲଙ୍କ ପୁଅ ସନ୍ତୋଷ ସାମଲ (୫୮) ଦୀର୍ଘଦିନ ହେଲା କୌଣସି କାରଣବଶତଃ ମାନସିକ ବିଷାଦଗ୍ରସ୍ତ ଥିଲେ ଏବଂ ମଝିରେ ମଝିରେ ଘର ଛାଡି ଚାଲିଯାଉଥିଲେ। ତେବେ ଅତ୍ୟଧିକ ମାନସିକ ଦୁଶ୍ଚିନ୍ତା ହୋଇ ଘରୁ ଚାଲି ଆସି ଆଜି ଦିନ ୧୨ଟା ସମୟରେ ଗୋଟିଏ ପାତ୍ରରେ ପେଟ୍ରୋଲ ଆଣି ବାଲିମି ନିକଟ ଏକ ଆମ୍ବତୋଟାରେ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇଦେବାରୁ ସମ୍ପୂର୍ଣ୍ଣ ପୋଡି ହୋଇ ଯାଇଥିଲେ।ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଖଜୁରିଆକଟା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ବାଲିମି ପୋଲିସ ଏକ UD କେଶ ନଂ ୧୫/୨୫ରେ ଅପମୃତ୍ୟୁ ମାମଲା ଦାୟର କରି ଶବକୁ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ପଠାଇ ମୃତ୍ୟୁର କାରଣ ଜାଣିବା ପାଇଁ ଦେବାସହ ଅଧିକ ତଦନ୍ତ ଚଳାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସନ୍ତୋଷ ଠୋକର ତଥା ଆଖପାଖ ଅଞ୍ଚଳର ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ଥିଲେ ।
