ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରରେ ”ପ୍ରଭୁ ମଞ୍ଜୁଳ ମିଳନ ସ୍ତମ୍ଭ”ର ଉଦଘାଟନ ସମାରୋହ ଆୟୋଜିତ
ବ୍ରହ୍ମପୁର,-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ପ୍ରଥମ ପୁଣ୍ୟତିଥି ପାଳନ ଉପଲକ୍ଷେ ତ୍ରିଦିବସିୟ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳାର ଉଦଯାପନୀ ସମାରୋହ ତଥା ପ୍ରଭୁ ମଞ୍ଜୁଳ ମିଳନ ସ୍ତମ୍ଭର ଅନାବରଣ ଓ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ବ୍ରହ୍ମପୁର ବିଧାୟକ ଭ୍ରାତା କେ. ଅନିଲ କୁମାର ଉକ୍ତ ସ୍ତମ୍ଭର ଲୋକାର୍ପଣ ଉତ୍ସବରେ ନିଜ ବକ୍ତବ୍ୟ କହିଥିଲେ ଯେ, ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ସଦା ମାତୃସ୍ନେହୀ, ଗମ୍ଭୀର ଏବଂ ଶକ୍ତିମୂର୍ତ୍ତ ଥିଲେ । ତେଣୁ ତାଙ୍କର ବ୍ରହ୍ମପୁରରେ ଦୀର୍ଘ ୪୦ବର୍ଷର ଉତ୍ସର୍ଗୀକୃତ ସେବାଦ୍ବାରା ଅନୁପ୍ରାଣିତ ହୋଇ ତାଙ୍କରି ପ୍ରଦତ୍ତ ଶିକ୍ଷା, ଆଦର୍ଶ, ଶୃଙ୍ଖଳିତ ନିରଳସ ଜୀବନରୁ ପ୍ରେରଣା ପ୍ରାପ୍ତ କରି ସେ ସବୁ ଗୁଣ ସମୂହର ଅନୁଭବ ତଥା ଧାରଣ କରିବା ହିଁ ଆଜିର ଦିବସରେ ତାଙ୍କ ପ୍ରତି ବାସ୍ତବ ଭାବାଞ୍ଜଳି, ସ୍ନେହାଞ୍ଜଳି, ପୁଷ୍ପାଞ୍ଜଳି ତଥା ଶ୍ରଦ୍ଧାଞ୍ଜଳି ହେବ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଭଗିନୀ ଗୀତାଞ୍ଜଳି ଦାଶ ମଞ୍ଜୁ ଭଉଣୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ମଞ୍ଜୁ ଭଉଣୀଙ୍କ ଗୁଣ ଓ ଶକ୍ତି ତାଙ୍କ ଜୀବନରେ ସଦା ପ୍ରତିଫଳିତ ହେଉଥିଲା । ସେ ପରମାତ୍ମାଙ୍କ ପ୍ରତି ନିଶ୍ଚୟ ବୁଦ୍ଧି, ତ୍ୟାଗ, ତପସ୍ୟା ଓ ସେବାମୟ ଜୀବନ, ସମାଜ କଲ୍ୟାଣ ଏବଂ କର୍ତ୍ତବ୍ୟ ପରାୟଣତା …. ଆଦିର ବାର୍ତ୍ତା ଦେଇ ମାନବ ମାତ୍ରକୁ ପରମାତ୍ମାଙ୍କ ନିକଟବର୍ତ୍ତୀ କରାଇପାରିଥିଲେ । ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର ଭ୍ରାତା ପ୍ରକାଶ ଚନ୍ଦ୍ର ମିଶ୍ର ଭଗିନୀ ମଞ୍ଜୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଶ୍ବ ବନ୍ଦନୀୟା, ଜ୍ଞାନର ଗନ୍ତାଘର, ସାହିତ୍ୟ, ଇତିହାସରୁ ଆରମ୍ଭ କରି ସର୍ବଧର୍ମ ପର୍ଯ୍ୟନ୍ତ ଅଗାଧ ପାଣ୍ଡିତ୍ୟର ଅଧତ୍କାରିଣୀ ତଥା ସମାଜର ଆଧ୍ୟାତ୍ମିକ ଉତ୍ଥାନରେ ଅଗ୍ରଜା ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ବ୍ରହ୍ମପୁର ସବଜୋନ ସଞ୍ଚାଳିକା ବ୍ରହ୍ମାକୁମାରୀ ଭଗିନୀ ମାଳା ନିଜ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ କହିଥିଲେ ଯେ ଭଗିନୀ ମଞ୍ଜୁ ନିଜ ମଧୁର ବାଣୀ ଏବଂ ସମସ୍ତଙ୍କ ପ୍ରତି ସ୍ନେହ ସମ୍ମାନ ପ୍ରଦର୍ଶନ ଦ୍ଵାରା ସେମାନଙ୍କ ହୃଦୟକୁ ଜିତି ପାରୁଥିଲେ । ସେ ୧୯୬୯ ମସିହାରୁ ସଂସ୍ଥାର ମୁଖ୍ୟାଳୟ ମାଉଣ୍ଟ ଆବୁ, ଭାରତର ଅନେକାନେକ ସହର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ସେବା ପ୍ରଦାନ କରି ଅନେକ ଆତ୍ମା କୁ ଦୁଃଖଦାୟୀ କଣ୍ଟାରୁ ପ୍ରସ୍ଫୁଟିତ ଫୁଲରେ ପରିବର୍ତ୍ତନ କରି ପାରିଥିଲେ। ଯାହାର ସୁଗନ୍ଧ ଆଜି ସାରା ବିଶ୍ବରେ ବ୍ୟାପ୍ତ । ବରିଷ୍ଠ ରାଜଯୋଗ ଶିକ୍ଷିକା, ବିଶ୍ବବିଖ୍ୟାତ ଲୋକପ୍ରିୟ ଆଧ୍ୟାତ୍ମିକ ବକ୍ତା ତଥା ପ୍ରବନ୍ଧନ ପ୍ରଶିକ୍ଷିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡା. ଉଷା ଦିଦିଜୀ ଶ୍ରୀମଦ୍ ଭଗବତ ଗୀତା ପ୍ରବଚନ ମାଳାର ତୃତୀୟ ସୋପାନ ତଥା ଉଦଯାପନୀ ସମାରୋହରେ ଭଗବାନ ଅର୍ଜୁନଙ୍କୁ ଧର୍ମଯୁକ୍ତ ଯୁଦ୍ଧ କରିବା ସମ୍ପର୍କରେ ହୃଦୟଙ୍ଗମ କରାଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆତ୍ମିକ ସମ୍ପତ୍ତି ହିଁ ସ୍ଥିର ସମ୍ପତ୍ତି ଅଟେ । ଏହି ପରିପ୍ରେକ୍ଷୀରେ ଆତ୍ମାର ପରିବର୍ତ୍ତିତ ଗୁଣଧର୍ମ ହେଉଛି ଆତ୍ମାର ସ୍ବଧର୍ମ । କାରଣ ପ୍ରତ୍ୟେକ ଆତ୍ମାକୁ ଜୀବନ ଧାରଣ ସକାଶେ ୭ଗୁଣ ସମୂହ ଯେପରିକି ଜ୍ଞାନ, ପବିତ୍ରତା, ପ୍ରେମ, ଶାନ୍ତି, ସୁଖ ଆନନ୍ଦ ଏବଂ ଶକ୍ତିର ଆବଶ୍ୟକତା ରହିଛି । ଏଣୁ ଏସବୁ ଗୁଣ ସମୂହକୁ ଧାରଣ କରି ମାନବ ସମାଜକୁ ବିତରଣ କରିବା ଦ୍ବାରା ସେମାନଙ୍କ ଭାବନା, ଦୃଷ୍ଟିକୋଣ, ବ୍ୟବହାର, ବାଣୀ ଏବଂ କର୍ମ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ସଂଗଠିତ ହେବ । ତତସହ କାହାର ଦୁଖଦାୟୀ ବ୍ୟବହାରକୁ ମନରେ ଧାରଣ ନ କରି ସେ ସବୁକୁ ଭୁଲିଯିବା ଦ୍ବାରା ଜୀବନ ସୁଖମୟ ହୋଇପାରିବ । ଏହି ଅବସରରେ ଗ୍ରାସିମ କେମିକାଲ ଲିମିଟେଡ ଅଧତ୍କାରୀ ଭ୍ରାତା ନିରଜ ପଟ୍ଟନାୟକ, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ ଜଜ୍ ବଲାଙ୍ଗୀର ଭଗିନୀ ସରୋଜିନୀ ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଜନ୍ମେଜୟ ମହାପାତ୍ର, ବ୍ରହ୍ମାକୁମାରୀ ଭଗିନୀ ଲଳିତା, ବରିଷ୍ଠ ଭେଷଜ ଏବଂ ମଧୁମେହ ବିଶେଷଜ୍ଞ ଭ୍ରାତା ପ୍ରକାଶ ଚନ୍ଦ୍ର ପାତ୍ର, କଟକ ଝାଞ୍ଜିର ମଙ୍ଗଳା ସେବାକେନ୍ଦ୍ରର ରାଜଯୋଗୀ ଭ୍ରାତା ନଥମଲ, ଅବସରପ୍ରାପ୍ତ ଲୋକାୟୁକ୍ତ ଭ୍ରାତା ଦେବବ୍ରତ ସ୍ବାଇଁ ଆଦି ପ୍ରଭୁ ଉପହାର ଅଡିଟୋରିୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଭଗିନୀ ମଞ୍ଜୁଙ୍କ ପ୍ରତି ତାଙ୍କରି ସମର୍ପିତ ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଜାମସେଦପୁର ଟାଟା ସେବାକେନ୍ଦ୍ର ସଞ୍ଚାଳିକା ଭଗିନୀ ଅଞ୍ଜୁ, ଗୌହାଟୀ ସେବାକେନ୍ଦ୍ର ସଞ୍ଚାଳିକା ଭିଗିନୀ ଜୁନାଲୀ, ତିନିସୁକିଆ ସବଜୋନ ଇନଚାର୍ଜ ଭଗିନୀ ରଜନୀ, ଭୁବନେଶ୍ବର ସବଜୋନ୍ ଇନଚାର୍ଜ ଭଗିନୀ ଲୀନା, ନବରଙ୍ଗପୁର ସବଜୋନ ସଞ୍ଚାଳିକା ଭଗିନୀ ନମିତା, କଟକ ସବଜୋନ ସହସଞ୍ଚାଳିକା ଭଗିନୀ ସୁଲୋଚନା, ରାଉରକେଲା ସବଜୋନ ସଞ୍ଚାଳିକା ଭଗିନୀ ବିମଳା, ସମ୍ବଲପୁର ସେବାକେନ୍ଦ୍ର ସହସଞ୍ଚାଳିକା ଭଗିନୀ ଜ୍ୟୋତି, ଭୁବନେଶ୍ବର ୟୁନିଟ-୯ ସେବାକେନ୍ଦ୍ର ସଞ୍ଚାଳିକା ଭଗିନୀ ଗୀତା, ବି.ଏସ୍.ଇ.ଟିର ଚେୟାରମ୍ୟାନ ଭ୍ରାତା ଏ. ଦୀପକ ରାଓ, ମଧୁବନ ମୁଖ୍ୟାଳୟର ଭ୍ରାତା ବ୍ରହ୍ମାକୁମାର ଅର୍ଜୁନ, ଦୀପକ, କ୍ଷୀରାବ୍ଧି, ମହେନ୍ଦ୍ର ଆଦି ଉପସ୍ଥିତ ଥିଲେ । ଏତଦବ୍ୟତୀତ ମାଉଣ୍ଟଆବୁସ୍ଥ ପରିବହନ ବିଭାଗୀୟ ମୁଖ୍ୟ ଭ୍ରାତା ମୋହନ ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ମୁଖ୍ୟାଳୟ, ମାଉଣ୍ଟଆବୁରୁ ଆସିଥିବା ଭ୍ରାତା ସୁଧୀର ମଞ୍ଚ ସଂଚାଳନ କରିଥିଲେ । ଏହି ଅବସରରେ ମଞ୍ଜୁ ଭଉଣୀଙ୍କ ଜୀବନୀ ସମ୍ପର୍କରେ ଏକ ନୃତ୍ୟନାଟିକା ପ୍ରସ୍ତୁତ କରାଯାଇଥଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଓଡ଼ିଶା ସମେତ ଭାରତବର୍ଷର ୫ହଜାରରୁ ଅଧିକ ବ୍ରହ୍ମାକୁମାର ଓ କୁମାରୀ ଅଂଶଗ୍ରହଣ କରିଥିଲେ ।
