ଅଜଣା ରୋଗରେ ଖରିଫ ଧାନ କ୍ଷେତ କ୍ଷତିଗ୍ରସ୍ତ : ଚାଷୀ ଆତଙ୍କିତ
ପ୍ରତିକାର ପାଇଁ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ
ଡେଲାଙ୍ଗ, ୧୩।୧୦- ଆଉ ଦୁଇ ଦିନ ପରେ ଗର୍ଭଣା ସଂକ୍ରାନ୍ତି, | ଗର୍ଭଣା ସଂକ୍ରାନ୍ତି ସମୟକୁ ଖରିଫ ଧାନ କ୍ଷେତର ଗଛରେ କେଣ୍ଡା ଭୃଣ ସୃଷ୍ଟି ହୋଇଥାଏ | ଏହି ସମୟରେ ଧାନ କ୍ଷେତ ନିରୋଗ ରହିଲେ ଫସଲ ଅମଳ ଭଲ ହୋଇଥାଏ | କିନ୍ତୁ ବିଡମ୍ବନା ଯେ ଚଳିତ ବର୍ଷର ଧାନ କ୍ଷେତ ଅଜଣା ରୋଗରେ ଆକ୍ରାନ୍ତ | କୃଷି ବୈଜ୍ଞାନିକଙ୍କ ପରାମର୍ଶ ପ୍ରତିଷେଧ|ତ୍ମକ ଔଷଧ ପ୍ରୟୋଗ କରାଗଲେ ମଧ୍ୟ ରୋଗ ଥମିବାର ନାମ ଧରୁନି | ଗୋଟିଏ ଗୋଟିଏ ପ୍ୟାଚ ରେ 30 ଏକର ରୁ ଉର୍ଧ୍ଵ ଫସଲ ରୋଗାକ୍ରାନ୍ତ ହୋଇଛି | ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ମୁନିନ୍ଦା, କଲ୍ୟାଣପୁର, ଡେଲାଙ୍ଗ-କୋଠବାଡ଼, ଘନିପୁର, ଅରିଶଲ, ସୁଜନପୁର, ବେରବୋଇ ଆଦି ସହ କଣାସ ବ୍ଲକର ତ୍ରିଲୋଚନପୁର ଗ୍ରାମ ପଂଚାୟତରେ ଏହି ରୋଗ ଅଧିକ ପରିମାଣରେ କ୍ଷତି କରିଥିବାରୁ ଫସଲ ହରାଇବା ଆଶଙ୍କାରେ ଚାଷୀ ମ୍ରିୟମାଣ | ପୁରୀ ଜିଲ୍ଲାର ଚାଷ ଓ ଚାଷୀ ର ସୁରକ୍ଷା ପାଇଁ ଚାଳିଶ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ଚାଷୀ ସଂଗଠନ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଉପ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଡେଲାଙ୍ଗ ବ୍ଲକ ସଭାପତି ଶରତ ଚନ୍ଦ୍ର ରାଉତ, ମୁନିନ୍ଦା ପଂଚାୟତ ସଭାପତି ଉଲ୍ଲାସ ଚନ୍ଦ୍ର ନାୟକ ପ୍ରମୁଖ ଚାଷୀମାନେ ପୁରୀ ଜିଲ୍ଲାପାଳ ଓ ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ହସ୍ତକ୍ଷେପ ନିବେଦନ କରିବା ପରେ ସୋମବାର ବ୍ଲକ କୃଷି ଅଧିକାରୀ ମାନସୀ ମୃଦୁଭାଷିନୀ ପଶାୟତ ଓ ବ୍ଲକ କୃଷି ବୈଷୟିକ ସୂଚନା ଓ ପରାମର୍ଶ କେନ୍ଦ୍ର (ଆତ୍ମା ) ସଭାପତି ଲଡ଼ୁକିଶୋର ରାୟ ଓ଼ଗେର ରୋଗ ଉପଦ୍ରୁତ ବିଭିନ୍ନ ଅଂଚଳର ଧାନ କ୍ଷେତର କ୍ଷେତ୍ରୀୟ ଅନୁଧ୍ୟାନ କରିବା ସହ ଚାଷୀଙ୍କୁ ପ୍ରତିକାର ପରାମର୍ଶ ଦେଇଥିବା ସୂଚନା ମିଳିଛି | କବକ ପତ୍ରପୋଡ଼ା ରୋଗ ଧାନ କ୍ଷେତକୁ ଆକ୍ରାନ୍ତ କରିଥିବା କୃଷି ଅଧିକାରୀ ଶ୍ରୀମତୀ ପଶାୟତ ସୂଚନା ଦେବା ସହ ପ୍ରତିରୋଧ ପାଇଁ ଯଥାସାଧ୍ୟ ଉଦ୍ୟମ ଆରମ୍ଭ କର୍lଯାଇଥିବା ସୂଚନା ଦେଇଛନ୍ତି | ଅନ୍ୟ ପକ୍ଷରେ ଏହି ରୋଗ ଏବେ ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ କ୍ଷୟ କ୍ଷତିର ପରିମାଣ ଆକଳନ ପୂର୍ବକ ଚାଷୀଙ୍କୁ କ୍ଷତି ଆନୁପାତିକ ସହାୟତା ଦେବା ପାଇଁ ନୀଳାଚଳ କୃଷକ ମହାସଂଘ ସଭାପତି ଗୋପୀନାଥ ମିଶ୍ର ଓ ଉପ ସଭାପତି ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଦାବି କରିଛନ୍ତି |
