ବାର୍ହା ଆକ୍ରମଣରେଯୁବକ ଗୁରୁତ୍ତର
ଅନେକ ଧାନଚାଷଜମୀ ନଷ୍ଟ
ଡେଲାଙ୍ଗ ( ନି. ପ୍ର ): ଡେଲାଙ୍ଗରେ ବାର୍ହା ଆକ୍ରମଣରେ ଜଣେ ଗୁରୁତ୍ତର ହୋଇଥିବା ବେଳେ ଅନେକ ଧାନ ଫସଲ ନଷ୍ଟ ହେଇଥିବା ଅଭିଯୋଗ ହୋଇଛି ।ବାର୍ହା ଆକ୍ରମଣରେ ଗୁରୁତ୍ତର ହୋଇଥିବା ଯୁବକ ଜଣକ ହେଲେ ଜେନାପୁର ପଂଚାୟତ ଅଧିନ ତିରିପ ଗ୍ରାମର ଦେବାଶିଷ୍ ମଲ୍ଲିକ୍ (୩୦) । ଚାଷ କ୍ଷେତ ହେଉ ବା ପରିବା ଚାଷ ଉପରେ ଜଙ୍ଗଲି ପ୍ରାଣୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରୁ ମାଙ୍କଡ଼ପଲ୍ଲ ଆସି ବ୍ୟାପକ ପନିପରିବା ଚାଷ ନଷ୍ଟ କରୁଥିଲା ଏବେ ଜଙ୍ଗଲି ବାର୍ହା ଧାନ ଫସଲ ନଷ୍ଟ କରିବା ଯୋଗୁ ଚାଷୀମାନେ ହତାଶ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତିରିପ ଗ୍ରାମରେ ଗତ ୨ ଦିନ ହେବ ଜଙ୍ଗଲି ବାର୍ହା ଧାନ ଗଛ ମୂଳକୁ ତାଡିବା ସହିତ ଧାନ କ୍ଷେତକୁ ନଷ୍ଟ କରି ପକାଉଛନ୍ତି । ବୁଧବାର ସକାଳ ୯ ସମୟରେ କ୍ଷେତରେ ଏକାଧିକ ବାର୍ହା ହିଡ ଓ ଧାନ ମୂଳ ତାଡୁଥିବାର ଦେଖି ଚାଷୀ ଦେବାଶିଷ୍ ଘଉଡେଇବାକୁ ଯାଇଥିଲେ । ବାର୍ହା ପଲ୍ଲ ମଧ୍ୟରୁ ଗୋଟିଏ ବାର୍ହା ତାଙ୍କୁ ଗୋଡାଇ ଆସି ଆକ୍ରମଣ କରିଥିଲା । ଯାହାଫଳରେ ସେ ବାରହା ଆକ୍ରମଣରେ ଗୁରୁତ୍ତର ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତିଥିଲେ । ଏବେ ସେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ପରିବାର ଲୋକେ ସୂଚନା ମିଳିଛି । ଅନ୍ୟପଟେ ଧାନଚାଷୀ ପ୍ରହ୍ଲାଦ ମଲ୍ଲିକ୍, ସୁରେଶ ସ୍ୱାଇଁ, ସୁରଥ ମଲ୍ଲିକଙ୍କ ଧାନଜମିରେ ଜଙ୍ଗଲି ବାର୍ହା ପଶି ଧାନ କ୍ଷେତକୁ ନଷ୍ଟ କରିପକାଇଛନ୍ତି । ଧାରକରଜ କରି ଧାନଚାଷ କରିଥିବା ଚାଷୀମାନେ ଏବେ ହତାଶ ହୋଇପଡିଛନ୍ତି । ତେବେ ଚାଷୀମାନଙ୍କୁ କ୍ଷତିପୂରଣ ଓ ବନବିଭାଗ ପକ୍ଷରୁ ବାର୍ହା ଘଉଡେଇବା ପାଇଁ ସ୍ଥାୟୀ ପ୍ରତିକାର କରିବାକୁ ସ୍ଥାନୀୟ ଚାଷୀମାନେ ଦାବୀକରିଛନ୍ତି । ଅନ୍ୟପଟେ ଆଖପାଖରେ ଜନବସତି ଥିବା ବେଳେ ବାର୍ହା ଯୋଗୁ ସନ୍ଧ୍ୟା ହେଲେ ଘରୁ ବହାରିକୁ ସ୍ଥାନୀୟ ଅଧିବାସୀ ଭୟ କରୁଛନ୍ତି । ତେବେ ଏନେଇ ବନ ବିଭାଗ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।
