ଭିଜିଲାନ୍ସ ପଞ୍ଝାରେ ଥାନା ଅଧିକାରୀ।
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ବାଡ ଯଦି ଫସଲ ଖାଇବ କ୍ଷେତ ଜଗିବ କିଏ ? ଭିଜିଲାନ୍ସ ପଞ୍ଝାରେ ଥାନା ବାବୁ। ସୋର ଥାନା ଅଧିନ ଅନନ୍ତପୁର ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଲାଞ୍ଚ ନେବା ବେଳେ ଗିରଫ କରିଛିନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଗାଡିକୁ ରିଲିଜ କରିବା ପାଇଁ ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଉକ୍ତ ଯୁବକଙ୍କ ଠାରୁ ୧୫ ହଜାର ଟଙ୍କା ଦାବି କରିଥିଲେ। ଆଜି ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଚଢ଼ାଉ ପରେ ସୋର ଥାନାରେ ଥିବା କିଛି ଅସାଧୁ ଅଧିକାରୀଙ୍କ ଛାତିରେ ଛନକା ପଶିଛି। ସେମାନଙ୍କ ଉପରେ ଏହି ପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
