ନୂଆଦିଲ୍ଲୀ (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଭାରତୀୟ ଦଳର ଲେଗ୍ସ୍ପିନର ଅମିତ ମିଶ୍ରା ସମସ୍ତ ଫର୍ମାଟ କ୍ରିକେଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଅମିତ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଅମିତଙ୍କ ୨୫ ବର୍ଷ କ୍ରିକେଟ ଯାତ୍ରାରେ ପଡିଛି ପୁର୍ଣଚ୍ଛେଦ । ବାରମ୍ବାର ଆଘାତ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଇଛା ତାଙ୍କୁ ଅବସର ନେବାକୁ ବାଧ୍ଯକରିଛି ବୋଲି ଅମିତ କହିଛନ୍ତି । ହରିୟାଣାର ଜନ୍ମିତ ୪୨ ବର୍ଷୀୟ ଅମିତ ଭାରତ ପାଇଁ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଓ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ବୋଲିଂରେ ବିବିଧତା ପାଇଁ ଅମିତ ବେଶ ପରିଚିତ ଥିଲେ।
ଅବସର ଘୋଷଣା କରି ଅମିତ କହିଛନ୍ତି, କ୍ରିକେଟରେ ମୋର ଏହି ଜୀବନର ୨୫ ବର୍ଷ ଅବିସ୍ମରଣୀୟ ହୋଇ ରହିବ। ମୁଁ ବିସିସିଆଇ, ପ୍ରଶାସନ, ହରିୟାଣା କ୍ରିକେଟ ସଂଘ, ସପୋର୍ଟ ଷ୍ଟାଫ୍, ସାଥୀ ଖେଳାଳି ଏବଂ ପରିବାର ସଦସ୍ୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି I ଅମିତ ୨୦୦୮ ଅକ୍ଟୋବର ୧୭ରେ ଟେଷ୍ଟ ପଦାର୍ପଣ କରିଥିଲେ । ୨୨ଟି ଟେଷ୍ଟ ଖେଳି ୭୬ଟି ୱିକେଟ ନେଇଛନ୍ତି। ସେ ୨୦୧୬ ଡିସେମ୍ବର ୧୬ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ସେ ୩୬ଟି ଦିନିକିଆରୁ ୬୪ଟି ସିକେଟ ନେଇଛନ୍ତି। ୨୦୧୬ ଅକ୍ଟୋବର ୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ୨୦୧୦ ଜୁନ୍ ୧୩ରେ ଜିମ୍ବାୱେ ବିପକ୍ଷରେ ଟ୍ବେଣ୍ଟି୨୦ ପଦାର୍ପଣ କରିଥିଲେ । ସେ ଘରୋଇ କ୍ରିକେଟରେ ହରିୟାଣା ଏବଂ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ, ଡେକାନ ଚାଜର୍ସ ଓ ଲକ୍ଷ୍ନୌ ସୁପରଜ୍ୟା ଏଣ୍ଟସ ପାଇଁ ଖେଳିଥିଲେ। ୨୦୦୮ରେ ଅନୀଲ କୁମ୍ବଲେ ଆହତ ହେବାରୁ ମୋହାଲିରେ ଅମିତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ୫ଟି ୱିକେଟ ନେଇଥିଲେ। ଏହାସତ୍ତ୍ବେ ସେ ଭାରତୀୟ ଟେଷ୍ଟ ଦଳର ସ୍ଥାଇ ସଦସ୍ୟ ହୋଇ ପାରିନଥିଲେ । ସେ ୧୬୨ ଆଇପିଏଲ୍ ମ୍ୟାଚ ରୁ ୭୪ଟି ୱିକେଟ୍ ନେଇଛନ୍ତି। ଆଇପିଏଲ୍ରେ ଏକମାତ୍ର ବୋଲର ଭାବେ ଅମିତ ମିଶ୍ର ୩ ଥର (୨୦୦୮, ୨୦୧୧, ୨୦୧୩) ହ୍ୟାଟ୍ରିକ୍ ନେଇଛନ୍ତି।
