ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ସୋରରେ ପବିତ୍ର ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରାଯାଇଛି। ଏଭଳି ଚିତ୍ର ଆସିଛି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ବାଲେଶ୍ୱର ଜିଲ୍ଲା ତରଫରୁ ସରକାରୀ ଅନୁଦାନ ଦାବିରେ ୨୦୦୮ ରୁ ୨୦୧୮ ମଧ୍ୟରେ ଅଧ୍ୟାପକ ଏବଂ କର୍ମଚାରୀ ମାନେ ମିଳିତ ହୋଇ ପବିତ୍ର “ଗୁରୁ ଦିବସକୁ କଳା ଦିବସ” ରୂପେ ପାଳନ କରିଛନ୍ତି। ସୋର ବ୍ଲକ ଅନ୍ତର୍ଗତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ପରିସରରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଅଧ୍ୟାପକ କର୍ମଚାରୀ ମାନେ ଏକତ୍ରିତ ହୋଇ ସରକାରଙ୍କର ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ପ୍ରତି ଚରମ ଅବହେଳାକୁ ବିରୋଧ କରି ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରିଛନ୍ତି। ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ୱରଂଜନ ଦାସ ଙ୍କ ନିର୍ଦ୍ଦେଶନାରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଅଧ୍ୟାପକ କର୍ମଚାରୀ ମାନେ ଦୀର୍ଘ ୧୮ ଦିନ ଧରି ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ୧୯ ତମ ଦିନରେ ସରକାରଙ୍କର ଏହି ବୈମାତୃକ ମନୋଭାବ କୁ ପରିବର୍ତ୍ତନ କରିବା ପାଇଁ କଳାବ୍ୟାଚ୍ ପରିଧାନ ପୂର୍ବକ ଜଗନ୍ନାଥ ମନ୍ଦିରରେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଦୀର୍ଘ ୪୯୭ ଦିନର ଅହୋରାତ୍ର ଧାରଣା ପରେ ନୂତନ ସରକାରଙ୍କର ୧୪ ଟି ଜନଶୁଣାଣିରୁ ୧୨ ଟି ଜନଶୁଣାଣିରେ ଯୋଗଦାନ କରି ଦାବିକୁ ସରକାର ଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପରେ ମଧ୍ୟ କେଵଳ ପ୍ରତିଶ୍ରୁତି ହିଁ ପ୍ରତିଶ୍ରୁତି ମିଳିଥିଲା। ଗତ ଅଗଷ୍ଟ ୧୬ ତାରିଖରେ ଦାବି ଦିବସରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ମହାସମାବେଶରେ ଦାବିକୁ ଉପସ୍ଥାପନା କରିବା ପାଇଁ ସଂଘ ଚାହିଁଥିଲା, କିନ୍ତୁ ସରକାରଙ୍କ ର ଏଥିପ୍ରତି ନିଘା ନଥିଲା। ତେଣୁ ଅଗଷ୍ଟ ୧୮ ତାରିଖ ଠାରୁ ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ଯଦି ସରକାର ଏହି ଏକମାତ୍ର ଦାବିକୁ ଯଥାଶୀଘ୍ର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜନ ଆନ୍ଦୋଳନ ରେ ପରିଣତ ହେବ ବୋଲି ବାଲେଶ୍ଵର ଜିଲ୍ଲାର ଜିଲ୍ଲା ସଂଯୋଜକ ତାପସ କୁମାର ପାତ୍ର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋର, ନୀଳଗିରି, ବାହାନଗା ଏବଂ ସଦର ଖଣ୍ଡର ଖଣ୍ଡ ସଂଯୋଜକ, କଲେଜ ସଂଯୋଜକ ଏବଂ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ।
