ସୋର (ଜ୍ୟୋତିପ୍ରକାଶ) : ସଂସ୍କୃତ ଭାଷା ହେଉଛି ଆଦି ଭାଷା। ଆଜି ଆମେ ଯଦି ଘରେ,ମନ୍ଦିରରେ ପୂଜା କରୁ ଅଛୁ ସେଠାରେ ଯେଉଁ ଶ୍ଳୋକ,ମନ୍ତ୍ର ଆଦି ବୋଲା ଯାଉଛି ତାହା ସଂସ୍କୃତ ଭାଷାରୁ ସୃଷ୍ଟି। ଏହି ଉପଲକ୍ଷେ ଆଜି ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ମନୋଜ କୁମାର ମହାନ୍ତିଙ୍କ ସଭାପତିତ୍ବରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ମହାପାତ୍ର ସଂସ୍କୃତ ଦିବସର ମହତ୍ତ୍ୱ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ସଂସ୍କୃତ ଭାଷାର ଜନକ ମହର୍ଷି ପାଣିଙ୍କ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ସଂସ୍କୃତ ଭାଷା କାହିଁକି ଦେବ ଭାଷା ଓ ଏହାର ସୁରକ୍ଷା ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ଅନ୍ୟତମ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ସୁରେନ୍ଦ୍ର ପ୍ରସାଦ ମଣ୍ଡଳ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟ ନିରଞ୍ଜନ ଜେନା ଯୋଗ ଦେଇ ସଂସ୍କୃତ ଭାଷା ସାହିତ୍ୟର ମହନୀୟତା, ସୁରକ୍ଷା ଓ ରାଷ୍ଟ୍ରୀୟ ଏକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଡ଼ ରଶ୍ମିତା ନାଏକ ତଥା ବିଭାଗର ଅନ୍ୟତମ ଅଧ୍ୟାପକ ଶଶିକାନ୍ତ ମିଶ୍ର ସଂସ୍କୃତ ଦିବସ ପାଳନ ପାଇଁ ସମସ୍ତ ଆୟୋଜନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଭା ପ୍ରାରମ୍ଭରେ ବିଭାଗୀୟ ଛାତ୍ରୀ ପଦ୍ମିନୀ, ସୋନାଲି, ନିବେଦିତା, ସଂଜ୍ଞା ସୁଲଳିତ କଣ୍ଠରେ ଦେଶ ବନ୍ଦନା ଗାନ କରିଥିଲେ ଓ ଅଧ୍ୟାପକ ଶଶିକାନ୍ତ ମିଶ୍ର ବେଦ ପାଠ କରିଥିଲେ। ଶେଷରେ ସୋନାଲି ପ୍ରିୟଦର୍ଶିନୀ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ସହ ସୁପରିଚାଳନା କରିବାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
