ସାରସକଣା,ଜାମଶଳା (ଅନିଲ କୁମାର ସାହୁ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ସଙ୍ଗୀନ ଅବସ୍ଥାରେ ଥିବା ବେଳେ ପ୍ରତିଦିନ ମା’ ଭଉଣୀ ଉପରେ ଘଟି ଚାଲିଥିବା ନିର୍ଯାତନା,ଦୁଷ୍କର୍ମ,ହିଂସା,ଭଳି ଛାତି ଥରା ଘଟଣା ସୀମା ଟପିଲାଣି।ମହିଳା ନିର୍ଯାତନା କୁ ନେଇ ରାଜ୍ୟ ସରକାର ଲଗାତାର ଭାବେ ଜାତୀୟ ସ୍ତରରେ ଲଜ୍ଜିତ ହେଉଛନ୍ତି।ଓଡ଼ିଶାରେ ନାରୀ ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଚିନ୍ତପ୍ରକଟ କରିବା ସହ ସେ ଦେଶର ନାଗରିକଙ୍କୁ ଓଡ଼ିଶା ନ ଯିବାକୁ ବାରଣ କରିଥିଲେ।ଏବେ ପୁଣି ବଲଙ୍ଗା ଓ ବାଲେଶ୍ଵର ଘଟଣାକୁ ନେଇ ସୁପ୍ରିମକୋର୍ଟ ନିଜକୁ ଲଜ୍ଜିତ ମନେ କରି ଟିପ୍ପଣୀ ଦେବା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ସମାନ ସମୟରେ ବିକାଶ ପ୍ରକ୍ରିୟା ମନ୍ଥର ପଡ଼ିବା,ପ୍ରସାଶନିକ ବ୍ୟବସ୍ଥା ଏକ ପ୍ରକାର ସ୍ତାଣୁ ପାଲଟିଯିବାକୁ ନେଇ ରାଜ୍ୟ ବିଜେପି ସରକାର ସାଧାରଣରେ ନିନ୍ଦିତ ହେଉଛି।ସରକାର ବିରୋଧରେ ସାଧାରଣରେ ଏକ ବଡ ଧରଣର ନକାରାତ୍ମକ ମହୋଲ ସୃଷ୍ଟି ହୋଇ ଥିବା ବେଳେ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି।ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କଲେଣି।ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ସରକାରଙ୍କୁ ଏଥିପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।ମୁଖ୍ୟ ବିରୋଧୀ ଦଳ ବିଜେଡି ଓ ବିରୋଧୀ କଂଗ୍ରେସ ଏ ନେଇ ସଜବାଜ ବେଳେ ସରକାରଙ୍କ ବିରୋଧରେ ବର୍ତ୍ତମାନ ଅନାସ୍ଥା ଦାନା ବାନ୍ଧୁ ଥିବା ଉଭୟ ଦଳର ଆଭିମୁଖ୍ୟରୁ ଆପାତତଃ ବାରି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ୧୩ ମାସ ପୁରିଲାଣି।ଏହି ୧୩ ମାସ ମଧ୍ୟରେ ଦୃଢ଼ ନେତୃତ୍ବର ଅଭାବ,ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପରିସ୍ଥିତି,ପିସି କାରବାର,ଦୁର୍ନୀତି,ଉନ୍ନୟନ ମୂଳକ କାମ ଠପ୍,ହୋଇ ପଡ଼ିବାକୁ ନେଇ ସରକାର ବେଶ ଅପଦସ୍ତ ହେଲେଣି।ଏହା ସହ ବରାବର ଭାବେ ନିଯୁକ୍ତି ଦୁର୍ନୀତି,ପରୀକ୍ଷା ପରିଚାଳନା ବିଭ୍ରାଟ,ରଥ ଯାତ୍ରା ପରିଚାଳନାରେ ମହା ବିଭ୍ରାଟ ପ୍ରସଙ୍ଗ ଯୋଗୁଁ ସରକାର ଉପରୁ ସାଧାରଣ ଲୋକ ବିଶ୍ୱାସ ହରାଇବାର ଲାଗିଛନ୍ତି। ମଦମୃତ୍ୟୁ,ହଇଜା ମୃତ୍ୟୁ,ଚାଷୀ ଆତ୍ମହତ୍ୟା,ରାଜ୍ୟ ବିଜେପି ସରକାରଙ୍କ ପ୍ରତିବନ୍ଧତା ଏବଂ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରଥ ଉପରୁ ବଡ଼ ଠାକୁର ପଡ଼ିଯିବା,ରାଜ୍ୟପାଳ ପୁଅଙ୍କ ମାଡ ମାରିବା ଘଟଣାରେ ସରକାର କେବଳ ନୀରବଦ୍ରଷ୍ଟା ହୋଇ ବସି ରହିବାବାକୁ ନେଇ ବିରୋଧୀ ଦଳ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ତାତିଲେଣି। ସାଧାରଣ ଲୋକ ଓ ବିରୋଧୀ ଦଳଙ୍କ ଅନୁଯାୟୀ ଯାହା କେବେ ଓଡିଶା ଇତିହାସରେ ଆଗରୁ ହୋଇ ନ ଥିଲା,ତାହା ଏ ସରକାର ଅମଳରେ ଘଟୁଛି।ରାଜ୍ୟରେ ମହିଳା ଅତ୍ୟନ୍ତ ସଙ୍ଗୀନ ସ୍ଥିତିରେ ଥିବା ବେଳେ ବାଲେଶ୍ବର ଏଫ୍ ଏମ୍ କଲେଜ ପୀଡ଼ିତାଙ୍କ ଆତ୍ମାହୁତି,ବଳଙ୍ଗା ରେ ଜଣେ ନାବାଳିକା କୁ ଦୁର୍ବୃତ୍ତ ମାନେ କିରାସିନି ଢ଼ାଳି ଜାଳି ଦେବା ଘଟଣା ଓଡ଼ିଶାକୁ ଜାତୀୟ ସ୍ତରରେ ନିନ୍ଦିତ କଲାଣି।ମାତ୍ରା ୧୩ ମାସର ସରକାରରେ ଏପରି ବ୍ୟବସ୍ଥା ଗତ ତ୍ରୁଟି ଏବଂ ଅରାଜକତାକୁ ନେଇ ସାଧାରଣରେ ଆକ୍ରୋଶ ଚରମ ସୀମାରେ ପହଞ୍ଚିଲାଣି।ଲୋକେ ସରକାର ଉପରୁ ଆସ୍ଥା ହରାଉଥିବା ବେଳେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଲୋକଙ୍କ ଆଭିମୂଖ୍ୟକୁ ପୁଞ୍ଜି କରି ସରକାରଙ୍କୁ ଅକଳରେ ପକାଇବା ସହ ଜବାବ ମାଗିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏହି କ୍ରମରେ ଆସନ୍ତା ମୌସୁମୀ ଅଧିବେଶନରେ ରାଜ୍ୟ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡି ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ।ଯଦି ବିଜେଡି ଅନାସ୍ଥା ପ୍ରସ୍ତାବ ନ ଆଣେ,ତେବେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡି ସମର୍ଥନ କରୁ ବୋଲି ଭକ୍ତ କହିଛନ୍ତି।ଅପର ପକ୍ଷେ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ରାଜ୍ୟରେ ମା’ ଭଉଣୀଙ୍କ ସୁରକ୍ଷା ପାଇଁ ବିଜେଡି କ୍ରମାଗତ ଭାବେ ଲଢେଇ କରି ଆସୁଛି।ବାଲେଶ୍ଵର ଏଫ୍ ଏମ୍ କଲେଜର ଝିଅକୁ ନ୍ୟାୟ ଦେବା ପାଇଁ ବିଜେଡି ରାଜ ରାସ୍ତାକୁ ଓହ୍ଲାଇଥିଲା। ବାଲେଶ୍ଵର ବନ୍ଦ ଠାରୁ ଆରମ୍ଭ କରି ଲୋକସେବା ଭବନ ଘେରାଉ ,ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ କରିଥିଲା।ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଉପରୁ ସାଧାରଣ ଲୋକଙ୍କ ଆସ୍ଥା କମୁଥିବା ନେଇ ସେମାନଙ୍କ କ୍ଷୋଭ ଆକ୍ରୋଶରୁ ସ୍ପଷ୍ଟ ହୋଇଛି।ତେବେ ବର୍ତମାନ ସୁଦ୍ଧା ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।ବିଜ୍ଞପ୍ତି ଆସିଲେ ଗୃହରେ ଦଳର ଭୂମିକା ନେଇ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।ତେବେ ଉଭୟ ବିରୋଧୀଙ୍କ ଆଭିମୂଖ୍ୟକୁ ଅନୁଶୀଳନ କଲେ,ଆସନ୍ତା ମୌସୁମୀ ଅଧିବେଶନ ଯେ ଶାସକ ଦଳ ପାଇଁ ସହଜ ହେବ ନାହିଁ,ତାହା ଜଳ ଜଳ ଦିଶୁଛି ବୋଲି ରାଜନୌତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।
