ରକ୍ତଦାନ କରି ୧୯ ବର୍ଷୀୟ ଯୁବକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଲେ ସାମ୍ବାଦିକ
ମାନବିକତାର ପରିଚୟ ଦେଲେ ରକ୍ତବୀର ଉଦିତ ନାରାୟଣ ଠାକୁର
(ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ଗୋଲାମୁଣ୍ଡା: ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନୁହେଁ, ବରଂ ମାନବିକତା ଓ ସମାଜସେବାରେ ମଧ୍ୟ ଏହାର ପ୍ରକୃତ ପରିଚୟ ରହିଛି। ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ସାମ୍ବାଦିକ ତଥା ରକ୍ତବୀର ଶ୍ରୀ ଉଦିତ ନାରାୟଣ ଠାକୁର।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପଞ୍ଜିଆ ଗ୍ରାମର କେଶରାଜ ନାଏକଙ୍କ ୧୯ ବର୍ଷୀୟ ଭାଇ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଧ୍ୟୟନ କରୁଥିବା ସମୟରେ ଗତ ୩ ତାରିଖ ଦିନ ଫାୟାର ଷ୍ଟେସନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ଜୀବନ ରକ୍ଷା ପାଇଥିଲେ ମଧ୍ୟ ଗୋଡ଼ର ତିନୋଟି ସ୍ଥାନରେ ହାଡ଼ ଭାଙ୍ଗିଯାଇଥିଲା। ତାଙ୍କୁ ଭୁବନେଶ୍ୱରସ୍ଥିତ ହାଇଟେକ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ଅସ୍ତ୍ରୋପଚାର ପାଇଁ ୫ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାବେଳେ ପରିବାର ପକ୍ଷରୁ ୩ ୟୁନିଟ୍ ରକ୍ତ ଯୋଗାଡ଼ କରାଯାଇଥିଲା। ଅବଶିଷ୍ଟ ୨ ୟୁନିଟ୍ ରକ୍ତ ଯୋଗାଡ଼ କରିବା ପାଇଁ ବହୁ ଉଦ୍ୟମ ସତ୍ତ୍ୱେ ସଫଳତା ମିଳିନଥିଲା।
ଏହି ଖବର ପାଇ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ୍, କଳାହାଣ୍ଡିର ପ୍ରତିଷ୍ଠାତା ରକ୍ତ ଯୋଗାଡ଼ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ସମୟରେ ଶ୍ରୀ ଉମାକାନ୍ତ ସୁନାନୀ ରକ୍ତଦାନ ପାଇଁ ଭୁବନେଶ୍ୱର ଯିବାକୁ ସ୍ଥିର କରିଥିଲେ। ଅନ୍ୟ ଏକ ୟୁନିଟ୍ ରକ୍ତର ଆବଶ୍ୟକତା ରହିଥିବାରୁ ସାମ୍ବାଦିକ ଉଦିତ ନାରାୟଣ ଠାକୁରଙ୍କୁ ଯୋଗାଯୋଗ କରାଯାଇଥିଲା।
ଖବର ପାଇବା ମାତ୍ରେ ଶ୍ରୀ ଠାକୁର ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାଇ ନିଜର ରକ୍ତଦାନ କରିଥିଲେ। ତେବେ ଅସୁସ୍ଥତା କାରଣରୁ ଶ୍ରୀ ଉମାକାନ୍ତ ସୁନାନୀ ରକ୍ତଦାନ କରିପାରିନଥିଲେ।
ଶ୍ରୀ ଉଦିତ ନାରାୟଣ ଠାକୁରଙ୍କ ଏହି ମହତ୍ କାର୍ଯ୍ୟ ଯୋଗୁଁ ଜଣେ ୧୯ ବର୍ଷୀୟ ଯୁବକଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଯୋଗାଡ଼ରେ ସହାୟତା ମିଳିଛି। ତାଙ୍କର ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
