*ସମ୍ବଲପୁରରେ ସ୍ୱାସ୍ଥ୍ୟସେବାର ସାଂଘାତିକ ଚିତ୍ର! ୭୦% ଡାକ୍ତର ପଦବୀ ଖାଲି*
*୨୧.୨୮ କୋଟିର ଟ୍ରମା କେୟାର ସେଣ୍ଟର ନେଇ ସି.ଡି.ଏମ.ଓ ଅବଗତ ନୁହନ୍ତି; ଡାକ୍ତର ନିଯୁକ୍ତି ପାଇଁ ସରକାରଙ୍କୁ ମାସିକ ରିପୋର୍ଟ ଜଣାଯାଉଛି- ସି.ଡି.ଏମ.ଓ*
*ଜିଲ୍ଲାରେ ୫୧୦ ଡାକ୍ତରରୁ ୩୫୭ ଓ ସମ୍ବଲପୁର ଡି.ଏଚ.ଏଚରେ ୧୨୪ ରୁ ୯୦, କୁଚିଣ୍ଡାରେ୪୯ ରୁ ୩୧ ଓ ରେଢ଼ାଖୋଲରେ୪୯ ରୁ ୩୪ ଡାକ୍ତର ପଦବୀ ଖାଲି*
ସମ୍ବଲପୁର, ୬/୧୧: (ଭଂଜଦୂତ )ସମ୍ବଲପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଦୁରବସ୍ଥା, ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଖାଲି ପଦବୀ ସମେତ ବିଭିନ୍ନ ସମସ୍ୟା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଡା. ନୀଳମାଧବ ଶତପଥିଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ପ୍ରଗତିଶୀଳ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାର ବିଭିନ୍ନ ଡାକ୍ତର ଖାନାରସମସ୍ୟା ଉପରେ ଆଲୋଚନା କରିଛନ୍ତି।
ଆଲୋଚନା ସମୟରେ ସମ୍ବଲପୁର ଜିଲ୍ଲାରେ ଡାକ୍ତରଙ୍କ ଘୋର ଅଭାବ ସମ୍ପର୍କରେ ବିଭାଗୀୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାରେ ମୋଟ ୫୧୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୫୩ଟି ପୂରଣ ହୋଇଥିବା ବେଳେ ୩୫୭ଟି ଖାଲି ପଡ଼ିଛି। ବିଶେଷକରି ସମ୍ବଲପୁର DHHରେ ୯୦, କୁଚିଣ୍ଡା SDHରେ ୩୧ ଏବଂ ରେଢ଼ାଖୋଲ SDHରେ ୩୪ଟି ଡାକ୍ତର ପଦବୀ ଖାଲି ରହିଥିବା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା।
୨୧.୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ୧୧ ଜାନୁଆରୀ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଉଦ୍ଘାଟିତ ଟ୍ରମା କେୟାର ସେଣ୍ଟର ଏଯାଏଁ କାର୍ଯ୍ୟକ୍ଷମ ନହେବା ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା। ଏହାର ଉତ୍ତରରେ ସି.ଡି.ଏମ.ଓ କହିଥିଲେ ଯେ, ଉଦ୍ଘାଟନ ସମୟରେ ସେ ଦାୟିତ୍ୱରେ ନଥିଲେ ଏବଂ ଏହା ସମ୍ପର୍କରେ ତାଙ୍କୁ ବିଶେଷ ତଥ୍ୟ ଜଣାନାହିଁ।
ଅନ୍ୟପକ୍ଷରେ, ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ପଦବୀ ପୂରଣ ପାଇଁ ସେ ନିୟମିତ ଭାବେ ସରକାରଙ୍କୁ ଅବଗତ କରୁଥିବା, ପ୍ରତି ମାସରେ ଚିଠି ଓ ରିପୋର୍ଟ ପଠାଉଥିବା ସି.ଡି.ଏମ.ଓ ସୂଚନା ଦେଇଥିଲେ। ତେଣୁ ଖାଲି ପଦବୀ ପୂରଣ କରିବା ଏବେ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପ ଉପରେ ନିର୍ଭର କରୁଛି।
ଏହା ସହିତ ଡି.ଏଚ.ଏଚର ପୁରୁଣା ଓ.ପି.ଡି କୋଠାର ନବୀକରଣ ପରେ ଏହା ଅବ୍ୟବହୃତ ହୋଇ ପଡ଼ିରହିବା, ରେଢ଼ାଖୋଲ ରକ୍ତଭଣ୍ଡାର କୁ କର୍ୟ୍ଯକ୍ଷମ କରିବା, ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବାରେ ଅବ୍ୟବସ୍ଥା ଏବଂ ଅଚଳ ଆମ୍ବୁଲାନ୍ସଗୁଡ଼ିକର ମରାମତି ଭଳି ପ୍ରସଙ୍ଗ ଉଠାଯାଇଥିଲା। ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ନର୍ସିଂ ଅଫିସର ଓ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ପୁରୁଷ ଓ ମହିଳା ପରିଦର୍ଶକ, ଏଲ୍ଟି, ରେଡିୟୋଗ୍ରାଫରଙ୍କ ଖାଲି ପଦବୀ ତୁରନ୍ତ ପୂରଣ କରିବାକୁ ମଧ୍ୟ ଦାବି କରାଯାଇଥିଲା।
ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ଥିବା ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିନିଧି ଦଳର ଗୋକୁଳ ମେହେର, ସଞ୍ଜିତ ମହାନ୍ତି, ଗଦାଧର କୁଅଁର, ଶିବଶଙ୍କର ନନ୍ଦ, ପ୍ରିୟରଞ୍ଜନ ସାହୁ, ଭି. ରାମ ରାଓ, ଲଳିତ ପଟ୍ଟନାୟକ, ଅରୁଣ କୁମାର ଖୁଣ୍ଟିଆ, ମହେଶ୍ୱର ଷଣ୍ଢ, ମହମ୍ମଦ ସାନୁଆଲ୍ଲା, ଅଶୋକ ପଟେଲ, ନରଟୁ ଗୋପାଳ, ମୋହମ୍ମଦ ଅଜିମ ଅଜ୍ଜୁ, ପ୍ରଶାନ୍ତ ଥାପା, ମହେଶ ସାଇତା, ବାଲ୍ମୀକି ନାୟକ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଦୁଲାଲ ଚନ୍ଦ୍ର ରାୟ, ନିଖିଳ ବାବୁ, ତୃପ୍ତିମୟୀ ପଣ୍ଡା, ବିକ୍ରମ ରଞ୍ଜିତ, ପ୍ରିୟଭଦ୍ର ପୃଷ୍ଟି, ଭାସ୍କର ନାଏକ, ବିଜୟ କୁମାର ସାହୁ ପ୍ରମୁଖ ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
