ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ: ୧୨୫ ଲିଟର ଦେଶୀ ମଦ ଜବତ ସହ ୪ ଗିରଫ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ଦିନକୁ ଦିନ ବଢୁଛି ନିଶା ଦ୍ରବ୍ୟର ବ୍ୟବହାର। ନିଶାଦ୍ରବ୍ୟ ର କରାଳ ଗ୍ରାସରେ ଯୁବ ବର୍ଗ। ଗ୍ରାମାଞ୍ଚଳରେ ଅବକାରୀ ଚଢାଉ କୁ ଜୋରଦାର କରିବାକୁ ସାଧାରଣ ରେ ଦାବି ହେଉଛି। ସୂଚନାଯୋଗ୍ୟ ଆଜି ବାଲେଶ୍ୱର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋର ଥାନା ଅନ୍ତର୍ଗତ ସବିରା ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ମୋଟ ୧୨୫ ଲିଟର ଦେଶୀ ରନ୍ଧା ମଦ ଜବତ ହେବା ସହ ୪ ଜଣ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୀଳଗିରି ରେଞ୍ଜ ନିରୀକ୍ଷକ ଶ୍ରୀଯୁକ୍ତ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ମିସ୍ ଅନିତା ସାହୁ ଓ ସହ-ଉପ ନିରୀକ୍ଷକ ବସନ୍ତ କୁମାର ବାରିକିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ସବିରା ଗ୍ରାମର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୪ ଜଣଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଜବତ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁକାନ୍ତି ମାଝୀ ୨୦ ଲିଟର , କହ୍ନେଇ ବାରିକ ୨୫ ଲିଟର , ନିରଞ୍ଜନ ଓଝା ୨୦ ଲିଟର , ମାୟାଧର ଗୁରୁଙ୍କ ନିକଟରୁ ୬୦ ଲିଟର ସହ ମୋଟ ୧୨୫ ଲିଟର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୮୬, ୮୭, ୨୦୪ ଏବଂ ୨୦୫ ମୂଳେ ମାମଲା ରୁଜୁ କରାଯାଇଛି। ଗିରଫ ହୋଇଥିବା ସମସ୍ତ ୪ ଜଣ ଆସାମୀଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
