*ନୂଆପଡାରେ ଆଡାପ୍ଟ-୪-ଆର୍ ପ୍ରକଳ୍ପ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଜଳବାୟୁ ଆକଳନ ମଞ୍ଚ ଓ ରବି ଫସଲ ଯୋଜନା ବୈଠକ ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାରେ ଆଡାପ୍ଟ-୪-ଆର୍ (ADAPT4R–Adaptation for Resilience) ପ୍ରକଳ୍ପ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଜଳବାୟୁ ଆକଳନ ମଞ୍ଚ ଓ ରବି ଫସଲ ଯୋଜନା ବୈଠକ ଆଜି ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଡିଏଫ୍ଓ (ପ୍ରାନ୍ତୀୟ) ତଥା ADAPT4R ପ୍ରକଳ୍ପର ଜିଲ୍ଲା ନୋଡାଲ୍ ଅଧିକାରୀ ଅଜିଜ୍ ଖାନ୍ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP)ର ଜଳବାୟୁ ସହନଶୀଳତା ଓ ବିପର୍ଯ୍ୟୟ ଜୋଖିମ ହ୍ରାସ ବିଭାଗର ମୁଖ୍ୟ ପ୍ରଜ୍ଞା ପୈଠଣକର ଏବଂ WFP ଓଡ଼ିଶାର ମୁଖ୍ୟ ହିମାଂଶୁ ଏସ୍. ବଳ ବୈଠକରେ ଯୋଗଦେଇଥିଲେ।
ଏହି ଅବସରରେ ଭବାନୀପାଟଣାସ୍ଥିତ RRTTSର କୃଷି ପାଣିପାଗ ବିଶେଷଜ୍ଞ ଚଳିତ ରବି ଋତୁର ଜଳବାୟୁ ଆକଳନ ଉପସ୍ଥାପନ କରିବା ସହ ଏହି ଋତୁ ପାଇଁ ଜଳବାୟୁ ଭିତ୍ତିକ କୃଷି ପରାମର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।
WFP ପ୍ରତିନିଧିମାନେ ADAPT4R ପ୍ରକଳ୍ପର ଉଦ୍ଦେଶ୍ୟ, ଭୌଗୋଳିକ କାର୍ଯ୍ୟ ପରିସର, ନୂଆପଡ଼ା ଜିଲ୍ଲା ପାଇଁ ଧାର୍ଯ୍ୟ ପ୍ରମୁଖ ଲକ୍ଷ୍ୟ ଏବଂ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ଉପାଦାନର ତୃଣମୂଳସ୍ତରୀୟ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଉପସ୍ଥାପନା କରିଥିଲେ।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, WFPର ପ୍ରତିନିଧି ଏବଂ ପ୍ରକଳ୍ପ ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
