ୟୁ.ଏନ୍. କଲେଜକୁ ସ୍ୱୟଂଶାସିତ ମାନ୍ୟତା ପ୍ରସଙ୍ଗ: ପ୍ରଶାସନିକ ଅବହେଳା ଦାବି କରି ଛାତ୍ର ସଂସଦର ସାମ୍ବାଦିକ ସମ୍ମିଳନୀ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟ କୁ ଅଟୋନୋମସ୍ (ସ୍ୱୟଂଶାସିତ) ମାନ୍ୟତା ମିଳିବାରେ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଓ ବିଫଳତାକୁ ନେଇ ଛାତ୍ର ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଆଜି କଲେଜ ପରିସରରେ ଛାତ୍ର ସଂସଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଲେଜ କର୍ତ୍ତୃପକ୍ଷ ଆସନ୍ତା ୭ ଦିନ ମଧ୍ୟରେ ଏଦିଗରେ ଠୋସ୍ ପଦକ୍ଷେପ ନନେଲେ ଛାତ୍ର ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସଂସଦ ପକ୍ଷରୁ ଚେତାବନୀ ଦିଆଯାଇଛି। ସମ୍ମିଳନୀରେ ଛାତ୍ର ପ୍ରତିନିଧିମାନେ ଅଭିଯୋଗ କରିଥିଲେ ଯେ, ସୋରୋ ଅଞ୍ଚଳର ଏହି ଅଗ୍ରଣୀ ତଥା ପୁରାତନ ଶିକ୍ଷାନୁଷ୍ଠାନକୁ ଅଟୋନୋମସ୍ ମାନ୍ୟତା ମିଳିଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବା ସହ ଆଧୁନିକ ପାଠ୍ୟକ୍ରମ, ଗବେଷଣା ଓ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହୋଇପାରନ୍ତା। ମାତ୍ର କଲେଜର ପ୍ରଶାସନିକ ଅବହେଳା ଓ ଦୁର୍ବଳ ଡକ୍ୟୁମେଣ୍ଟେସନ୍ ଏଥିରେ ପ୍ରମୁଖ ବାଧକ ସାଜିଛି। ବିଶେଷକରି, ୨୦୨୧ ମସିହାରୁ କଲେଜର ‘ନାକ୍’ ଆକ୍ରିଡିଟେସନ୍ ନବୀକରଣ ହୋଇନଥିବା ଅତ୍ୟନ୍ତ ଉଦ୍ବେଗର ବିଷୟ। ଦୀର୍ଘ ସମୟ ଧରି ନୂତନ ମୂଲ୍ୟାଙ୍କନ ପାଇଁ ଆବଶ୍ୟକ ପ୍ରସ୍ତୁତି ନହେବା ଫଳରେ ନୂତନ ଆବେଦନ ପ୍ରକ୍ରିୟା ଆଗେଇ ପାରିନାହିଁ। ୟୁଜିସି ର ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଉପଯୁକ୍ତ ‘ନାକ୍’ ମାନ୍ୟତା ବିନା ଅଟୋନୋମସ୍ ପାଇଁ ଯୋଗ୍ୟତା ହାସଲ ଅସମ୍ଭବ। ଏହାବ୍ୟତୀତ କଲେଜକୁ ଆସୁଥିବା ଅନୁଦାନର ସଦୁପଯୋଗ, ଭିତ୍ତିଭୂମି ବିକାଶ ଏବଂ ଆଇକ୍ୟୁଏସି ର କାର୍ଯ୍ୟକଳାପକୁ ନେଇ ମଧ୍ୟ ସଂସଦ ପକ୍ଷରୁ ପ୍ରଶ୍ନ ଉଠାଯିବା ସହ ଜବାବଦେହିତା ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଛାତ୍ର ସଂସଦ ପକ୍ଷରୁ ୫ ଦଫା ଦାବି ଉପସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା- ତୁରନ୍ତ ‘ନାକ୍’ ନବୀକରଣ ପାଇଁ ଡକ୍ୟୁମେଣ୍ଟେସନ୍ ସମ୍ପୂର୍ଣ୍ଣ କରିବା, ମୂଲ୍ୟାଙ୍କନର ପ୍ରକୃତ ସ୍ଥିତି ସାର୍ବଜନୀନ କରିବା, ଅଟୋନୋମସ୍ ମାନ୍ୟତା ପାଇଁ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା, କଲେଜର ଆର୍ଥିକ ତଥା ଭିତ୍ତିଭୂମି ସ୍ଥିତି ସ୍ପଷ୍ଟ କରିବା ଏବଂ ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରି ତୁରନ୍ତ ଅଟୋନୋମସ୍ ପ୍ରକ୍ରିୟା ଆରମ୍ଭ କରିବା। ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ୟୁ.ଏନ୍. କଲେଜର ଗୌରବ ରକ୍ଷା ପାଇଁ ଏହି ଲଢ଼େଇ ଡାକରା ଦିଆଯାଇଛି। ଆସନ୍ତା ୭ ଦିନ ମଧ୍ୟରେ କଲେଜ କର୍ତ୍ତୃପକ୍ଷ ଲିଖିତ ଭାବେ ଠୋସ୍ ପ୍ରତିଶ୍ରୁତି ପ୍ରଦାନ ନକଲେ ଛାତ୍ର ସଂସଦ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା, ଅନଶନ ସହ ବ୍ୟାପକ ଛାତ୍ର ଆନ୍ଦୋଳନ କରାଯିବ ବୋଲି ସଂସଦ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି। କଲେଜର ଉନ୍ନତି ଛାତ୍ରଛାତ୍ରୀଙ୍କ ଅଧିକାର ହୋଇଥିବା ବେଳେ ଜବାବଦେହିତା କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ବୋଲି ଛାତ୍ରନେତାମାନେ ମତବ୍ୟକ୍ତ କରିଛନ୍ତି।
