*ନୂଆପଡାରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ସମୀକ୍ଷା କଲେ ଜିଲ୍ଲାପାଳ ଅନ୍ୟା ଦାସ*
ନୂଆପଡା(ମିଖାଏଲ ନନ୍ଦ)
ତା:୩୧.୧୦:
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଓ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବାସ୍ତବ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଘରଦ୍ୱାର ଓ ଫସଲ କ୍ଷୟକ୍ଷତିର ଆକଳନ କରିବା ସହ ରାସ୍ତାଘାଟ, ସରକାରୀ କୋଠାବାଡ଼ି, ଜନସାଧାରଣଙ୍କ ବ୍ୟବହାର୍ଯ୍ୟ ଭିତ୍ତିଭୂମି, ପଶୁସମ୍ପଦ ଆଦିର କ୍ଷୟକ୍ଷତି ଆକଳନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ କୁହାଯାଇଥିଲା।
ବୈଠକରେ କୃଷି, ମତ୍ସ୍ୟ ଓ ଉଦ୍ୟାନ କୃଷି ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଥିବା ବୈଠକରେ ଜଣାପଡ଼ିଥିଲା।
ଜିଲ୍ଲାପାଳ ଏସ୍ଡିଆର୍ଏଫ୍/ଏନ୍ଡିଆର୍ଏଫ୍ ନିୟମାବଳୀ ଅନୁଯାୟୀ କ୍ଷୟକ୍ଷତିର ସଠିକ୍ ଓ ନିରପେକ୍ଷ ଆକଳନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ। ଯେପରି କ୍ଷତିଗ୍ରସ୍ତ ଚାଷୀ ଓ ଅନ୍ୟାନ୍ୟ ପ୍ରଭାବିତ ବ୍ୟକ୍ତିମାନେ ଯଥାଶୀଘ୍ର ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଓ ସହାୟତା ପାଇପାରିବେ, ସେଥିପାଇଁ ଆକଳନ ଓ ରିପୋର୍ଟ ଦାଖଲ ପ୍ରକ୍ରିୟାରେ ତ୍ୱରିତ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଗଣେଶ୍ୱର କହଁର, ଡେପୁଟି ଜ଼ିଲ୍ଲାପାଳ (ଜରୁରୀକାଳୀନ) ଏସ୍.କେ. ନସିମ୍, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
